‘ରଥଯାତ୍ରା ମେଳାକୁ ମାହାସୁଲ ମୁକ୍ତ କରାଯାଉ’

ବାରିପଦା ଅଫିସ,୨୯।୬ – ମୟୂରଭଞ୍ଜ ଜିଲା ବାରିପଦା ରଥଯାତ୍ରା ପଡ଼ିଆରେ ବସୁଥିବା ଉଠା ଦୋକାନୀଙ୍କୁୁ ମହାସୁଲ ମୁକ୍ତ କରିବା ସହିତ ବିଭିନ୍ନ ଦାବି ନେଇ ଭଞ୍ଜସେନା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ସେନାର ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାରିପଦା ପୌର ପରିଷଦର ଅଧ୍ୟକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବି ଗୁଡିକ ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇ ଦାବି ଗୁଡ଼ିକ ପୂରଣ କରାଯିବ ବୋଲି ପୌରାଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।
ରଥଯାତ୍ରା ସମୟରେ ବାରିପଦା ମ୍ୟୁନିସିପାଲିଟି ପକ୍ଷରୁ ରଥ ପଡ଼ିଆର ଟେଣ୍ଡର କରାଯାଇଥାଏ। ଲିଜ୍‌ଧାରୀମାନ ବସୁଥବା ଉଠା ଦୋକାନୀଙ୍କଠାରୁ ମହାସୁଲ ବାବଦରେ ବହୁ ଅଧିକ ଅର୍ଥ ଆଦାୟ କରିଥାନ୍ତି। ଫଳରେ ପଡ଼ୋଶୀ ଜିଲା ତଥା ରାଜ୍ୟରୁ ଦୋକାନୀମାନେ ମେଳାକୁ ଆସିବାକୁ ଅମଙ୍ଗ ହେଉଥିବାରୁ ରଥପଡ଼ିଆରେ ଦୋକାନୀଙ୍କ ସଂଖ୍ୟା ପ୍ରତିବର୍ଷ କମିବାରେ ଲାଗିଛି। ଏଣୁ ମେଳାକୁ ସରସ ସୁନ୍ଦର କରିବା ପାଇଁ ଭଞ୍ଜ ସେନା ପକ୍ଷରୁ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ରଥଯାତ୍ରା ସମୟରେ ମେଳାକୁ ସମ୍ପୂର୍ଣ୍ଣ ମହାସୁଲ ମୁକ୍ତ କରିବା, ସହରରେ ବସୁଥିବା ଉଠାଦୋକାନୀଙ୍କଠାରୁ ଧାର୍ଯ୍ୟ ମହାସୁଲଠାରୁ ଅଧିକ ଆଦାୟ ବନ୍ଦ କରିବା, ଧାର୍ଯ୍ୟ ମୂଲ୍ୟ ସମ୍ପର୍କରେ ବ୍ୟାନର ମାଧ୍ୟମରେ ସହରବାସୀଙ୍କୁ ଅବଗତ କରିବା, ଅଧିକ ମହାସୁଲ ଆଦାୟ କରୁଥିବା ଲିଜ୍‌ଧାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବଡ଼ଦାଣ୍ଡରେ ଥିବା ଘର ମାଲିକମାନେ ଘର ସମ୍ମୁଖରେ ଭଡ଼ା ବାବଦକୁ ବେଆଇନ ଟଙ୍କା ଆଦାୟ କରୁଥିଲେ ସେଥିରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ଦାବିପତ୍ର ପ୍ରଦାନ ସମୟରେ ସତ୍ୟସ୍ବରୂପ ଦାଶ, ନିମାଇଁ ତ୍ରିପାଠୀ, ରାକେଶ ବେହେରା, ଏସ୍‌. କେ. ରାଜାଖାନ, ଦେବାଶିଷ ଦାସ, ଦିବ୍ୟାଜିତ ସାହୁ, ସଞ୍ଜୟ ମହାନ୍ନା, ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ା