ଛତ୍ରପୁର,୧୭।୭(ଦିଲ୍ଲୀପ ସାମଲ): ପୁରୀ ସମେତ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ରଥଯାତ୍ରା ଧୂମଧାମରେ ପାଳନ କରାଯାଇଛି । ଛତ୍ରପୁର ତାଡେପଲ୍ଲୀ ସାହିସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମଙ୍ଗଳ ଆଳତି କରାଯାଇଥିଲା। ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥ ଉପରେ ଉପବେସନ କରାଯାଇଥିଲା। ପରେ ମନ୍ଦିରର ରାଜା ଶ୍ରୀ କୈଳାଶ ଚନ୍ଦ୍ର ଦେଓ ରଥରେ ଛେରା ପହଁରା କରିଥିଲେ। ପରେ ରଥ ଉପରେ ଶ୍ରୀ ଜିଉଙ୍କ ଆଳତି କରାଯାଇଥିଲା। ଅପରାହ୍ନରେ ରଥ ମନ୍ଦିର ପରିସରରୁ ବାହାରି ମଝି ବଜାରସ୍ଥିତ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିଥିଲା। ରଥ ସମ୍ମୁଖରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବେଶଧାରୀମାନେ ରଣପ୍ପା ନୃତ୍ୟ ପରିବେଷଣ କରିଥିଲେ l ରଥଯାତ୍ରା ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ଏହି ବେସଧାରୀଙ୍କ ରଣପ୍ପା ନୃତ୍ୟ ଦେଖି ଆତ୍ମ ବିଭୋର ହୋଇ ପଡ଼ିଥିଲେ l
ପରେ ଆଡପ ମଣ୍ଡପ ସମ୍ମୁଖରେ ପ୍ରବଳ ଭକ୍ତଙ୍କ ସମାଗମ ସହ ଶଙ୍ଖନାଦ, ଘଣ୍ଟ ବାଦ୍ୟ ଏବଂ ବିଭିନ୍ନ ବାଜାବାଜଣାରେ ପୁଣି ଶ୍ରୀଜିଉଙ୍କ ଆଳତି ଓ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ମାଉସୀ ମା’ ମନ୍ଦିରକୁ ତିନି ଠାକୁରଙ୍କୁ ପହଣ୍ଡି କରି ଅଣାଯାଇଥିଲା। ସନ୍ଧ୍ୟାରେ ବହୁ ଭକ୍ତ ମାଉସୀ ମା’ ମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ସେହିପରି ଛତ୍ରପୁର ସହରରେ ଥିବା ଦାସିରି ଜଗନ୍ନାଥ ମନ୍ଦିର, ଅପର ବସଷ୍ଟାଣ୍ଡସ୍ଥିତ ଜଗନ୍ନାଥ ମନ୍ଦିର, ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି, ନରେନ୍ଦ୍ରପୁର, ଲଣ୍ଡାବାଉଁଶ ଭଳି ବିଭିନ୍ନ ଗ୍ରାମରେ ମଧ୍ୟ ରଥଯାତ୍ରା ମହା ଆଡମ୍ଭର ସହକାରେ ପାଳନ କରାଯାଇଛି ।