ଛତ୍ରପୁର/ଗଞ୍ଜାମ, (ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ ): ଆଉ କିଛି ଦିନ ପରେ ବିରଳ ଅଲିଭ ରିଡ୍ଲେଙ୍କ ମିଳନ ଋତୁ ଆରମ୍ଭ ହେବ । ଏହି ନୂଆ ଅତିଥିଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ବନ ବିଭାଗ l ସେମାନଙ୍କ ସୁରକ୍ଷିତ ଆଗମନ ସହ ପ୍ରଜ୍ଜନନ ଓ ଗଣ ଅଣ୍ଡାଦାନ ପାଇଁ ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଣରେ ଏକ ଏନ୍ତୁଡିଶାଳ ବା ସୁରକ୍ଷିତ ସ୍ଥାନ ରହିଥାଏ । ଏହାକୁ ଦୃଷ୍ଟିରେ ରଖି ଏନେଇ ନଭେମ୍ବର ୧ ତାରିଖରୁ ମେ ୩୧ ପ୍ରର୍ଯ୍ୟନ୍ତ ଏହି ୭ମାସ ଗଞ୍ଜମ ଋଷିକୁଲ୍ୟା ଉପକୂଳ ସମୁଦ୍ରରେ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବା ବାରଣ କରାଯାଇଛି । ଗଞ୍ଜାମ ଋଷିକୁଲ୍ୟା ମୁହଣ ସଲଗ୍ନ ଉପକୂଳ ଉତ୍ତର ଆର୍ଯ୍ୟପଲ୍ଲୀ ଠାରୁ ଦକ୍ଷିଣ ପ୍ରୟାଗୀ ମଧ୍ୟସ୍ଥ ସାମୁଦ୍ରିକ ଅଞ୍ଚଳ ପ୍ରାୟ ୨୦ କିମିକୁ ନୋ ଫିସିଂ ଜୋନ ଭାବେ ଘୋଷଣା କରାଯାଇଥାଏ । ଏହି ସମୟରେ ଅଲିଭ ରିଡ୍ଲେ ସାମୁଦ୍ରିକ କଇଁଚ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ହୋଇଥାଏ । ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଧିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଘୋଷଣା ହୋଇଥାଏ । ସେମାନଙ୍କ ଆଗମନ ଠାରୁ ଆରମ୍ଭ କରି ଛୁଆ ମାନେ ସମୁଦ୍ରକ ଯିବା ପ୍ରର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ବନ ବିଭାଗ ,ମେରାଇନ ପୋଲିସ ଓ ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ କଡାସୁରକ୍ଷା କରାଯାଇଥାଏ । ବେଆଇନ ଭାବେ ମାଛ ଧରିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ସୁଦର ବାହାର ଦେଶରୁ ବିରଳ ଅଲିଭ ରିଡ୍ଲେଙ୍କ ଗଞ୍ଜାମ ମୁହାଣକୁ ଆଗମନ ହୋଇଥାଏ । ଏହା ସେମାନଙ୍କ ପାଇଁ ଅନୁକୂଳ ଓ ସୁରକ୍ଷା ସ୍ଥାନ ହୋଇଥିବାରୁ ହଜାର ହଜାର ବିରଳ ଅଲିଭ ରିଡ୍ଲେ ଏଠାକୁ ଆସି ଗଣ ଅଣ୍ଡାଦାନ କରି ପୁଣି ଫେରିଯାଇଥାନ୍ତି । ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ଜିଲାପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥାଏ । ବ୍ରହ୍ମପୁର ବନଖଣ୍ଡ ବିଭାଗ ପକ୍ଷରୁ ୧୧ଟି ସ୍ଥାନରେ ସେମାନଙ୍କ ସୁରକ୍ଷାକୁ ନେଇ କ୍ୟାମ୍ପ କରାଯିବା ସହ ସେଠାରେ ବନ କର୍ମଚାରୀମାନେ ଜଗି ରହିବେ ବୋଲି ଡିଏଫଓ ସୋନି ଖୋକର କହିଛନ୍ତି । ଆଜି ବନ ବିଭାଗ ପକ୍ଷରୁ ମଧ୍ୟ ପାଟ୍ରୋଲିଂ କଡାକଡି କରାଯିବ । ନିଦ୍ଧିଷ୍ଟ ଅଞ୍ଚଳକୁ ଯନ୍ତ୍ରଚାଳିତ ଡଙ୍ଗା କିମ୍ବା ଟ୍ରଲର ଯାତାୟତ ଉପରେ ରୋକ ଲଗାଯାଇଛି । ଯେଉଁମାନେ ଏହାକୁ ଅବମାନନା କରିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫଓ କହିଛନ୍ତି । ଏହି ୭ ମାସ ସମୟରେ ମତ୍ସଜୀବୀମାନେ ମାଛ ମାରିବା ପାଇଁ ସମୁଦ୍ରକୁ ଯାଉନଥିବାରୁ ସେମାନଙ୍କ ଜୀବିକା ଉପରେ ବିଶେଷ ପ୍ରବାହ ପଡିଥାଏ । ତେଣୁ ରାଜ୍ୟ ସରକାର ସେମାନଙ୍କ କ୍ଷତି ବାବଦରେ ପରିବାର ପିଛା ୧୫ ହଜାର ଟଙ୍କାର ସହୟତା ରାଶି ଯୋଗାଇଥାନ୍ତି। କିନ୍ତୁ ଏହା ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି ବୋଲି ମତ୍ସ୍ୟଜିବିମାନେ କହିଥିଲେ । ସେମାନଙ୍କୁ ମାସକୁ ୧୦ ହଜାର ଟଙ୍କା ପ୍ରଦାନ କରିବାକୁ ଦାବି କରିଥିଲେ । ସେହିପରି ସାମୁଦ୍ରିକ ମତ୍ସ୍ୟଜୀବୀ ବିଭାଗ ପକ୍ଷରୁ ଆଜିଠୁ ମାଇକ ଯୋଗେ ଏବଂ ସାମୁଦ୍ରିକ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନା କରୁଛନ୍ତି ସାଗର ମିତ୍ର । ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ ପୂର୍ବରୁ ସଚେତନତା, ନୋଟିସ,ଗ୍ରାମସଭା ଆଦି କରାଯାଇଥାଏ । ପ୍ରୟାଗି ଠାରୁ ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳ ୨୦ କିଲୋମିଟର ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି । ୨୦୨୩/୨୪ ବର୍ଷରେ ୩୬୮୮ ମତ୍ସଜୀବୀମାନଙ୍କ ବ୍ୟାଙ୍କ ଖାତାରେ ୧୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଚଳିତ ବର୍ଷ ୪ ହଜାର ମତ୍ସଜୀବୀମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ଅତିରିକ୍ତ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଦେବିଦୁତ ମହାନ୍ତି ସୂଚନା ଦେଇଛନ୍ତି । ସୂଦର ଦେଶରୁ ଏହି ଅଲିଭ ରିଡ୍ଲେଙ୍କ ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାନକୁ ଆଗମନ ହୋଇଥାଏ । ଜିଲାରେ ୫୨ କିମି ସମୁଦ୍ର ବେଳାଭଭୂମି ରହିଥିବା ବେଳେ ବଟେଶ୍ୱର ଠାରୁ ପୁରୁଣାବନ୍ଧ ଏହି ୫ କିମି ମଧ୍ୟରେ ଅଲିଭ ରିଡ୍ଲେଙ୍କ ଆଗମନ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରତେକ ସମୁଦ୍ର ନିକଟରେ ଥିବା ଗ୍ରାମଗୁଡିକୁ ସଚେତନାତ କରାଯିବା ସହ ପାଟ୍ରୋଲିଂକୁ କଡାକଡି କରାଯାଇଥାଏ । ମିଳନ ପରେ ଋଷିକୁଲ୍ୟା ମୁହାଣରେ ଅଣ୍ଡାଦାନ ପ୍ରକ୍ରିୟା ହୋଇ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସରିଥାଏ । ଅଣ୍ଡାଦାନ ପରଠାରୁ ୩୦ ରୁ ୪୫ ଦିନ ପରେ ଛୁଆ ବାହାରିଥାଏ । ଗୋଟିଏ ଅଲିଭ ରିଡ୍ଲେ ଏକା ଥରକେ ୧୫୦ରୁ ଉର୍ଦ୍ଧ୍ୱ ଅଣ୍ଡାଦେଇଥାଏ । ସେମାନଙ୍କ ଆଗମଣ ଠାରୁ ଆରମ୍ଭ କରି ଛୁଆ ସମୁଦ୍ରକୁ ଗଲାପ୍ରର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ଏବେ ଜିଲାପ୍ରଶାସନ ହାତରେ। ତେବେ ପ୍ରତି ବର୍ଷ ଟ୍ରଲର ମାଡରେ ବହୁ ବିରଳ ଅଲିଭ ରିଡ୍ଲେଙ୍କ ମୃତ୍ୟୁ ମଧ୍ୟ ହେଉଥିବା ନଜିର ରହିଛି । ଗତ ବର୍ଷ ରେର୍କଡ ସଂଖ୍ୟକ ଦୁଇଟି ପ୍ରର୍ଯ୍ୟାୟରେ ଅଲିଭ ରିଡ୍ଲେ ଗଣଅଣ୍ଡା ଦାନ କରିଥିଲେ।
Dharitri – The Largest & Most Trusted Odia Daily
\

