ଓଡ଼ିଆ ଫିଲ୍ମରେ ଗୀତ ଗାଇବେ ରାପର୍‌ ଦୁଲେ

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): କଳାହାଣ୍ଡିର ରାପର ଦୁଲେ ରକର୍‌ ଓଡ଼ିଆ ଫିଲ୍ମରେ ଗୀତ ଗାଇବେ। ୟୁଟ୍ୟୁବ୍‌ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ୱର ତାଣ୍ଡି ଓରଫ ଦୁଲେ ରକର୍‌ଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ଦେଇଛନ୍ତି। ଦୁଲେ ରକର୍‌ଙ୍କ ସହିତ ସୁନ୍ଦରଗଡ଼ର ଝିଅ ସ୍ବର୍ଣ୍ଣରେଖା ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ଆଶୁତୋଷ ମଧ୍ୟ ଏହି ଗୀତରେ କଣ୍ଠଦାନ କରିବେ। ‘ଜିଓ ବାଲା ଆଣ୍ଟି’ ଶୀର୍ଷକ ଏହି ଗୀତକୁ ଗୀତିକାର ସୁବ୍ରତ ସ୍ବାଇଁ ରଚନା କରିଛନ୍ତି। ବୁଧବାର ଟଙ୍କପାଣି ରୋଡସ୍ଥିତ ସ୍ମୃତି ଷ୍ଟୁଡିଓରେ ଦୁଲେ ରକରଙ୍କ ଗୀତ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି।
ପୂର୍ବରୁ ‘ଶୁନୋ ସର୍କାର’ ରାପ୍‌ ଗାଇ ସୋସିଆଲ ମିଡିଆରେ ରାତାରାତି ଚର୍ଚ୍ଚିତ ହୋଇଥିଲେ ଦୁଲେ ରକର୍‌। ଭାଇରାଲ ହୋଇଥିବା ଏହି ଗୀତ ପାଇଁ ବଲିଉଡ୍‌ର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଦାଦଲାନିଙ୍କ ଠାରୁ ଆରମ୍ଭ କରି ସ୍ବରା ଭାସ୍କର, ସୋନା ମହାପାତ୍ର ଓ ସାମ୍ବାଦିକା ବର୍ଖା ଦତ୍ତଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ। ବିଶାଲ ତାଙ୍କୁ ବଲିଉଡରେ ଗୀତ ଗାଇବାର ଅଫର ଦେଇଥିଲେ ବି ଦୁଲେ ଓଡ଼ିଆ ସିନେମାରେ ଗୀତ ଗାଇବାକୁ ଇଚ୍ଛା ରଖିଥିଲେ। ପ୍ରେମ ଆନନ୍ଦ ଏବେ ତାଙ୍କର ଏହି ସ୍ବପ୍ନ ପୂରଣ କରିଛନ୍ତି। ନୂତନ ପ୍ରତିଭାଙ୍କୁ ସୁଯୋଗ ଦେଉଥିବା ପ୍ରେମ ଆନନ୍ଦ କିଛି ଦିନ ତଳେ କୋରାପୁଟ ଝିଅ ନମିତା ମେଲେକାଙ୍କୁ ସୁଯୋଗ ଦେଇ ପ୍ରଶଂସିତ ହୋଇଥିଲେ।