ଭୁବନେଶ୍ୱରରେ ଦ୍ରୁତ ଗୋଷ୍ଠୀ ସଂକ୍ରମଣ

ଭୁବନେଶ୍ୱର, ୧୩।୫(ବ୍ୟୁରୋ):ରାଜ୍ୟରେ କରୋନା ନିୟନ୍ତ୍ରଣାଧୀନ କୁହାଯାଉଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଦିନକୁ ଦିନ ଭୟଙ୍କର ହେବାକୁ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟୁଥିବାରୁ ଚିନ୍ତା ବଢ଼ିଛି। କିଛିଦିନ ହେବ ହଜାରେ ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ଏବେ ସହରରେ ୧୨ ଶହ ପାର୍‌ କରିଛି ଦୈନିକ ସଂକ୍ରମଣ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚିହ୍ନଟଙ୍କ ମଧ୍ୟରୁ ୮୫ ପ୍ରତିଶତରୁ ଅଧିକ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ। ଗତ ୨୪ ଘଣ୍ଟାରେ ୧,୨୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ୧,୧୩୧ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ଏପରି ବୃଦ୍ଧି ରାଜଧାନୀରେ ଦ୍ରୁତଗତିରେ ଗୋଷ୍ଠୀ ସଂକ୍ରମଣ ହେଉଥିବା ଆଶଙ୍କା କରାଯାଉଛି। ଫଳରେ ଗୋଟିଏ ଗୋଟିଏ ଅଞ୍ଚଳରୁ ପୁଳାପୁଳା ପଜିଟିଭ୍‌ ବାହାରୁଛନ୍ତି। ନୂଆ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ ୬୨, ପଟିଆରୁ ୫୭, ବଡ଼ଗଡ଼ରୁ ୪୬, ଝାରପଡ଼ାରୁ ୩୩, ଚନ୍ଦ୍ରଶେଖରପୁରରୁ ୩୪, ଖଣ୍ଡଗିରିରୁ ୪୪, ପୁରୁଣା ଭୁବନେଶ୍ୱରରୁ ୪୨, ଲକ୍ଷ୍ମୀସାଗରରୁ ୩୬, ବରମୁଣ୍ଡାରୁ ୩୪, ରସୁଲଗଡ଼ରୁ ୩୬, ମଞ୍ଚେଶ୍ୱର ୩୨, ସୁନ୍ଦରପଦାରୁ ୩୧, ଡୁମୁଡୁମାରୁ ୨୮, ଜୟଦେବ ବିହାରରୁ ୨୫, କଳ୍ପନା ୨୪, ୟୁନିଟ୍‌-୬ରୁ ୨୨, ଭରତପୁରରୁ ୧୯, ଶୈଳଶ୍ରୀ ବିହାରରୁ ୨୨, ଚକେଇସିଆଣୀରୁ ୧୯, ୟୁନିଟ୍‌-୩ରୁ ୧୮, ପୋଖରୀପୁଟରୁ ୧୫, ୟୁନିଟ୍‌-୨ରୁ ୧୨, ଟଙ୍କପାଣି ରୋଡ୍‌ରୁ ୧୮, ୟୁନିଟ୍‌-୯ରୁ ୧୮ଜଣ ରହିଛନ୍ତି। ଫଳରେ ଭୁବନେଶ୍ୱରରେ ଏବେ ମୋଟ ସଂକ୍ରମିତ ସଂଖ୍ୟା ୫୭,୦୬୬ରେ ପହଞ୍ଚତ୍ଛି। ବର୍ତ୍ତମାନ ୧୧,୧୭୮ ସକ୍ରିୟ ରୋଗୀ ରହିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।
ବେପରୁଆ ମନୋଭାବ ଓ କାର୍ଯ୍ୟଧାରା ଯୋଗୁ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ କଟକଣାରୁ ସୁଫଳ ମିଳୁନି। ଅମାନିଆମାନେ କରୋନା ନିୟମକୁ ଠିକ୍‌ରେ ଅନୁପାଳନ କରୁ ନ ଥିବାରୁ ସହରରେ ସ୍ଥିତି ଜଟିଳ ହେଉଥିବା କୁହାଯାଉଛି।