କେନ୍ଦୁଝରରେ ଚାଞ୍ଚଲ୍ୟ: ଜୀବନ ଯୁଦ୍ଧରେ ହାରିଗଲେ ବଳାତ୍କାର ପୀଡିତା, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ…

କେନ୍ଦୁଝର,୧୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ଥାନା ଅଞ୍ଚଳରେ ଜଣେ ୪୫ ବର୍ଷୀୟା ଜୁଆଙ୍ଗ ଆଦିମ ଜନଜାତି ବିଧବା ମହିଳା ବଳାତ୍କାରର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ବେଳେ ରବିବାର ରାତିରେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଜିଲାରେ ଆଲୋଡ଼ନ ସୃଷ୍ଟି କରିଛି।

ପୋଲିସ ସୂଚନା ମୁତାବକ, ନଭେମ୍ବର ୧୦ ତାରିଖରେ ତେଲକୋଇ ଥାନା ଅନ୍ତର୍ଗତ ପଡ଼ାଙ୍ଗ ପଞ୍ଚାୟତ ଟେଣ୍ଟେଇନାଳି ଗ୍ରାମର ମହିଳା ଜଣକ ବେଣା ସାପ୍ତାହିକ ହାଟକୁ ଯାଇ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନଭେମ୍ବର ୧୧ ତାରିଖରେ ଗ୍ରାମ ନିକଟସ୍ଥ ଏକ ଗଛ ମୂଳରୁ ତାଙ୍କୁ ଅଚେତ ଏବଂ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କ ଶରୀରରେ ଏକାଧିକ ସ୍ଥାନପରେ ରାମ୍ପୁଡ଼ା ଦାଗ ଥିବା ଦେଖିବାକୁ ମିଳିଥିଲା।

ପ୍ରଥମେ ତାଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଚିକିତ୍ସିତ ହେଥିବା ବେଳେ ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅଭିଯୋଗକୁ ଭିତ୍ତି କରି ତେଲକୋଇ ପୋଲିସ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୬୪(୧) ଅନୁଯାୟୀ ଏକ ବଳାତ୍କାର ମାମଲା ରୁଜୁ କରିଛି। ଏହି ଘଟଣାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ହେଲେ ଅଭିଯୁକ୍ତ ଜଣକ ଫେରାର ଅଛନ୍ତି।

ସୋମବାର ପୋଲିସ ବିଶେଷଜ୍ଞ ଟିମ୍‌ ସହାୟତାରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ବେଳେ ପୋଲିସର ୩ଟି ଟିମ୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଏନେଇ ସଦର ଏସଡିପିଓ ସୁଦର୍ଶନ ଗାଙ୍ଗୋଇ କହିଛନ୍ତି, ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଫେରାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ମୃତ ମହିଳାଙ୍କ ସ୍ବାମୀଙ୍କ ୪ବର୍ଷ ତଳେ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୩ ଝିଅ ଓ ତିନି ପୁଅ ଅଛନ୍ତି। ମା’ଙ୍କୁ ହରାଇ ଝିଅ, ପୁଅ ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଆଦିମ ଜନଜାତି ଜୁଆଙ୍ଗ ସମାଜ ସଘଂର ସଭାପତି ପ୍ରଭାକର ଜୁଆଙ୍ଗ ଗଭୀର ଉଦ୍‌ଯୋଗ ପ୍ରକାଶ କରିବା ସହ ଜୁଆଙ୍ଗ ସମ୍ପ୍ରଦାୟର ସୁରକ୍ଷା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Share