ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ଜମନକିରା,୧୯।୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସରଡ଼ା ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ରବିବାର ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଜମନକିରା ପୋଲିସ କୁଚିଣ୍ଡା ଥାନା ଜମନକିରା ବ୍ଲକ ଗୁଣ୍ଡୁରୁଚୂଆଁ ଗାଁର ଜୟପ୍ରକାଶ କିଷାନ(୨୪)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଜୟପ୍ରକାଶଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ପଦ୍ମାଳୟା ସାହୁ କହିଛନ୍ତି। ଏନେଇ ଜମନକିରା ଥାନାରେ ଏକ ମାମଲା (ନଂ.୧୬୧/୨୩) ରୁଜୁ ହୋଇଛି।

ପୋଲିସର ସୂଚନା ମୁତାବକ, ଗତ ୩ ବର୍ଷ ହେବ ଜୟପ୍ରକାଶ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ଯୁବତୀଙ୍କୁ କିଛି ଦିନ ପାଇଁ ଘରେ ଆଣି ରଖିଥିଲେ। ସେତିକିବେଳେ ଯୁବତୀ ଗର୍ଭବତୀ ହୋଇଥିଲେ। ହେଲେ ଜୟପ୍ରକାଶ ଯୁବତୀଙ୍କ ଗର୍ଭପାତ କରାଇଥିଲେ। ପରବର୍ତ୍ତୀ ସମୟରେ ସେ ବିବାହ କରିବାକୁ ମନା କରି ଦେଇଥିଲେ। ଏପରି କି ଯୁବତୀଙ୍କୁ ଆଣି ଜମନକିରା ବସ୍‌ଷ୍ଟାଣ୍ଡରେ ଛାଡି ଫେରାର ହୋଇଯାଇଥିଲେ। ଏନେଇ ଯୁବତୀ ଜଣକ ଜମନକିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।