ମହିଳା କନ୍‌ଷ୍ଟେବଲଙ୍କୁ ବଳାତ୍କାର

ବାଲେଶ୍ୱର, ୫ା୧୦(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ପୋଲିସ ଅଧୀନରେ କାର୍ଯ୍ୟରତ ୨ କନ୍‌ଷ୍ଟେବଲଙ୍କ ବିରୋଧରେ ଜଣେ ମହିଳା କନ୍‌ଷ୍ଟେବଲ ବଳାତ୍କାର ଅଭିଯୋଗ ଆଣିଛନ୍ତି। ବାଲେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ସହଦେବଖୁଣ୍ଟା ପୋଲିସ ତଦନ୍ତ କରି ଆଇପିସି ଦଫା. ୩୪୧, ୩୨୩, ୩୫୪(ଖ), ୩୭୬, ୧୦୯ ଓ ୩୪ରେ ଏକ ମାମଲା (ନଂ. ୩୮୭/୨୦୨୩ ) ରୁଜୁ କରିଛି। ଅଭିଯୁକ୍ତ କନ୍‌ଷ୍ଟେବଲଦ୍ୱୟ ହେଲେ ମାନସ ରଞ୍ଜନ ପାଣିଗ୍ରାହୀ ଏବଂ ଗଙ୍ଗାଧର ବିଶ୍ୱାଳ।
ମହିଳା କନ୍‌ଷ୍ଟେବଲଙ୍କ ଅଭିଯୋଗ ଅନୁସାରେ ୨୦୨୦ରେ ତାଙ୍କ ସ୍ବାମୀ ଅଭିଯୁକ୍ତ କନ୍‌ଷ୍ଟେବଲଙ୍କଠାରୁ ଏକ ବର୍ଷ ପାଇଁ ୬ଲକ୍ଷ ଟଙ୍କା ଋଣ ଆକାରରେ ନେଇଥିଲେ। ଯେଉଁଥିରେ ମହିଳା କନ୍‌ଷ୍ଟେବଲ ନିଜ ବ୍ୟାଙ୍କ ଆକାଉଣ୍ଟର ୩ ଗୋଟି ଏବଂ ସ୍ବାମୀଙ୍କ ଆକାଉଣ୍ଟର ଏକଗୋଟି ପୋଷ୍ଟ ଡେଟେଡ୍‌ ଚେକ୍‌ ବନ୍ଧକ ଆକାରରେ ଦେଇଥିଲେ। ଏକବର୍ଷ ମଧ୍ୟରେ ସୁଧ ସହ ଋଣଅର୍ଥ ଫେରାଇ ଦେବା ପାଇଁ ଏକ ଚୁକ୍ତିପତ୍ର ମଧ୍ୟ ହୋଇଥିଲା। ତେବେ ମୂଳ ଓ ସୁଧ ବାବଦକୁ ୧୧, ୮୫,୬୦୦ ଟଙ୍କା ପରିଶୋଧ ପରେ ବି ବନ୍ଧକ ଭାବେ ପାଖରେ ରଖିଥିବା ବ୍ୟାଙ୍କ ଚେକଗୁଡ଼ିକୁ ସେମାନେ ଫେରାଇ ନ ଥିଲେ। ଏନେଇ ଗତ ତା ୩୧।୭।୨୩ ରିଖରେ ଅଭିଯୁକ୍ତମାନେ ରାତି ୮ଟାରେ ସଂଘ କାର୍ଯ୍ୟାଳୟକୁ ଡକାଇ ତାଙ୍କୁ ଯୌନ ନିର୍ଯାତନା ଦେବା ସହ ବଳାତ୍କାର ପାଇଁ ଚେଷ୍ଟା କରିଥିଲେ। ତେବେ ତାଙ୍କର ଚିତ୍କାର ଶୁଣି କ୍ୟାଣ୍ଟିନ କର୍ମଚାରୀମାନେ ସେଠାରେ ପହଞ୍ଚତ୍ୟିବାରୁ ଦୁଇ ଅଭିଯୁକ୍ତ କନ୍‌ଷ୍ଟେବଲ ସେଠାରୁ ପଳାଇଯାଇଥିଲେ ବୋଲି ଅଭିଯୋଗ କରି ମହିଳା କନ୍‌ଷ୍ଟେବଲ ବାଲେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଏକ କମ୍ପ୍ଲେଣ୍ଟ କେସ୍‌ କରିଥିଲେ। କୋର୍ଟ ଉକ୍ତ ମାମଲାକୁ ଗ୍ରହଣ କରି ପୋଲିସକୁ ଏତଲା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସହଦେବଖୁଣ୍ଟା ପୋଲିସ ଗତ ୩୦ତାରିଖରେ ଅଭିଯୁକ୍ତଦ୍ୱୟଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ଅଭିଯୁକ୍ତ ତଥା ଜିଲା ହାବିଲଦାର କନ୍‌ଷ୍ଟେବଲ ସଂଘ ସଭାପତିଙ୍କୁ ପଚାରିବାରୁ ସେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆଗକୁ ଆସୁଥିବା ସଂଘ ନିର୍ବାଚନକୁ ଦୃଷ୍ଟିରେ ରଖି ଏହିଭଳି ଅଭିଯୋଗ ଅଣାଯାଇଥିବା ସେ ସୂଚନା ଦେଇଛନ୍ତି।