ଯୁବତୀଙ୍କୁ ଗଣବଳାତ୍କାର: ଭିଡିଓ ଭାଇରାଲ୍‌

ଝାରସୁଗୁଡ଼ା ଅଫିସ୍‌,୭।୫: ଝାରସୁଗୁଡ଼ାରେ ପୁଣି ଲଜ୍ଜା । ଏକ ପରିତ୍ୟକ୍ତ କୋଠାରେ ଜଣେ ଯୁବତୀଙ୍କୁ ଗଣବଳତ୍କାର କରାଯାଇଛି। ବର୍ତ୍ତମାନ ଏହାର ଏକ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ୍‌ ହୋଇଛି। ଲକ୍‌ଡାଉନ୍‌ ସମୟରେ ପୋଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ହେଲେ ଅପରାଧିମାନେ ଗତ ଗୁରୁବାର ଦ୍ୱିପ୍ରହରରେ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ରେଲଓ୍ବର ଏକ ପରିତ୍ୟକ୍ତ କୋଠାରେ ଯୁବତୀଙ୍କୁ ଗଣବଳତ୍କାର କରିଥିଲେ। ଏତିକିବେଳେ ପୀଡିତା ପାଟି କରିବାରୁ ନିକଟରେ ଥିବା କିଛି ଯୁବକ ପହଞ୍ଚି ବିରୋଧ କରିଥିଲେ। ଫଳରେ ଅପରାଧିମାନେ ଘଟଣା ସ୍ଥଳ ଛାଡି ପଲାଇ ଥିଲେ। ଭିଡିଓ ଭାଇରାଲ୍‌ ହେବାପରେ ଏହି ଘଟଣା ଲୋକ ଲୋଚନକୁ ଆସିଛି । ଘଟଣାର ୨ ଦିନ ବିତିଯାଇଥିଲେ ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲା। ଜିଲା ଶିଶୁ ସୁରକ୍ଷା ସମିତି(ସିଡବ୍ଲ୍ୟୁସି) ଅଧ୍ୟକ୍ଷା ଆନନ୍ଦିନୀ ପାଢୀ ଘଟଣାର ସଂକ୍ରାନ୍ତରେ ଝାରସୁଗୁଡ଼ା ରେଲଓ୍ବ ପୋଲିସର ଦୃଷ୍ଟିକୁ ଆଣିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ସମଲେଶ୍ୱରୀ ମା’ ଘର ଚେରିଟେବୁଟ୍‌ ଟ୍ରଷ୍ଟ ଅଧ୍ୟକ୍ଷା ପଦ୍ମିନୀ ସିଂ ଘଟଣାକୁ ନିନ୍ଦା କରିବା ସହ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଅବଗତ ହେବା ପରେ ରାଉରକେଲା ରେଲଓ୍ବେ ଏସ୍‌ପି ଝାରସୁଗୁଡ଼ା ରେଲଓ୍ବ ପୋଲିସ୍‌କୁ ଏକ ମାମଲା ରୁଜୁ କରି ତଦନ୍ତ ପାଇଁ ଟୁଇଟ କରି ନିର୍ଦ୍ଦେଶ ଦେଇଥିଲେ। ରେଲଓ୍ବେ ପୋଲିସ ଝାରସୁଗୁଡ଼ା ଜିଆର୍‌ପି ଥାନାରେ ଏକ ମାମଲା (ନଂ.୨୪।୨୧) ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଜିଆର୍‌ପି ଥାନା ଆଇଆଇସି ସୌଦାମିନୀ ନାଗ କହିଛନ୍ତି। ଅନ୍ୟପକ୍ଷେ ଝାରସୁଗୁଡ଼ା ଏସ୍‌ପି ବିକାଶ ଚନ୍ଦ୍ର ଦାସ ଘଟଣା ସଂକ୍ରାନ୍ତରେ ଜାଣି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଝାରସୁଗୁଡ଼ା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଝାରସୁଗୁଡ଼ା ଟାଉନ୍‌ ଥାନା ଆଇଆଇସି ସାବିତ୍ରୀ ବଳଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ଜିଆର୍‌ପି ଥାନାକୁ ହସ୍ତାନ୍ତର କରିଛି। ଗିରଫ ମୁଖ୍ୟ ଅଭିଯୁକ୍ତ ଜଣକ ହେଲେ ଲଇକେରା ଥାନା ନକ୍ସାପାଲି ଗ୍ରାମର ହେମରାଜ ବେସନ(୨୯)। ଘଟଣାରେ ସମ୍ପୃକ୍ତ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ନେଇ ପୋଲିସ ତନାଘନା ଚଳାଇଛି।