ଯୁବତୀଙ୍କୁ ଗଣବଳାତ୍କାର: ୩ ଅଭିଯୁକ୍ତଙ୍କୁ ୨୦ବର୍ଷ କାରାଦଣ୍ଡ

ଝାରସୁଗୁଡ଼ା ଅଫିସ୍‌,୧।୪: ଝାରସୁଗୁଡ଼ା ଜିଲା ସେସନ୍ସ ଜଜ୍‌ ହର ପ୍ରସାଦ ପଟ୍ଟନାୟକ ଏକ ଗଣବଳାତ୍କାର ମାମଲାର ବିଚାର କରି ୩ ଅଭିଯୁକ୍ତ ରମାକାନ୍ତ ନାୟକ, ପ୍ରକାଶ ନାୟକ ଓ ବାବୁଲ ମିର୍ଦ୍ଧାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରତ୍ୟେକ ଦୋଷୀଙ୍କ ଉପରେ ୫ହଜାର ଟଙ୍କା ଲେଖାଏ ଜରିମାନା ଲଗାଇଛନ୍ତି। ଆର୍ଥତ୍କ ରାଶି ଖିଲାପ କଲେ ଅଭିଯୁକ୍ତମାନେ ଅଧିକ ୬ମାସ ଜେଲଦଣ୍ଡ ଭୋଗିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଞ୍ଚଳର ଜଣେ ଯୁବତୀ ୨୦୧୫ ଜୁନ ୨୩ରେ ଶୌଚ ସାରି ଘରକୁ ଫେରୁଥିବା ବେଳେ ଉକ୍ତ ୩ଜଣ ଯୁବକ ତାଙ୍କୁ ଗଣବଳାତ୍କାର କରିଥିଲେ। ଏ ନେଇ ପୀଡିତା ବନହରପାଲି ଥାନାରେ ଅଭିଯୋଗ କରିଥିଲେ। ପୋଲିିସ ଅଭିଯୋଗକୁ ଭିତ୍ତିକରି ଏକ ବଳାତ୍କାର ମାମଲା (ନଂ.୭୩/୧୫) ରୁଜୁ କରି ତଦନ୍ତ କରିଥିଲା। ପୋଲିସ ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତମାନେ ଜେଲରେ ରହିଥିବା ବେଳେ ମାମଲା କୋର୍ଟରେ ବିଚାରାଧୀନ ଥିଲା। ଦୀର୍ଘ ୬ ବର୍ଷ ପରେ ଜିଲା ସେସନ୍ସ କୋର୍ଟ ୧୯ଜଣ ସାକ୍ଷୀଙ୍କ ବୟାନ ଆଧାରରେ ୩ ଅଭିଯୁକ୍ତଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ପୀଡିତାଙ୍କ ପକ୍ଷରୁ ସରକାରୀ ଓକିଲ ସତପାଲ ସିଂହ ମାମଲା ପରିଚାଳନା କରୁଥିଲେ।