Categories: ଖେଳ

ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ବଳାତ୍କାର ମାମଲା

ବେଙ୍ଗାଲୁରୁ/ନୂଆଦିଲ୍ଲୀ, ୭ା୨(ପି.ଟି.): ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ବେଙ୍ଗାଲୁରୁ ପୋଲିସ ପୋକ୍ସୋ ଆଇନ ଅଧୀନରେ ଅର୍ଜୁନ ପୁରସ୍କାର ବିଜୟୀ ଭାରତୀୟ ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ କରିଛି। ୨୨ ବର୍ଷୀୟା ମହିଳା ଜଣକ କହିଛନ୍ତି ଯେ ୨୦୧୮ରେ ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ବରୁଣଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ସେତେବେଳେ ସେ ଜଣେ ନାବାଳିକା ଥିଲେ। ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା। ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ହେବା ପରେ ୨୦୧୯ରେ ବରୁଣ ତାଙ୍କୁ ବେଙ୍ଗାଲୁରୁର ଜୟନଗରସ୍ଥିତ ଏକ ହୋଟେଲକୁ ନେବାସହ ବିବାହ ପ୍ରତିଶ୍ରୁତି ଦେଇ ସେଠାରେ ଶାରୀରିକ ସମ୍ପର୍କ ରଖିଥିଲେ। ଉଭୟଙ୍କ ୫ବର୍ଷ ସମ୍ପର୍କ ମଧ୍ୟରେ ବରୁଣ ତାଙ୍କ ସହିତ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲେ।
ସେ କହିଛନ୍ତି, ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ସେଣ୍ଟରଠାରେ ବରୁଣ ଟ୍ରେନିଂ ନେଉଥିବା ବେଳେ ତାଙ୍କ ସହିତ ପ୍ରଥମ ଦେଖା ହୋଇଥିଲା। ମହିଳା ଜଣଙ୍କ ତାଙ୍କ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛନ୍ତି ଯେ, ଗତବର୍ଷ ତାଙ୍କ ପିତାଙ୍କ ଦେହାନ୍ତ ପରେ ବରୁଣ କ୍ରମେ ତାଙ୍କଠାରୁ ଦୂରେଇ ଯାଇଥିଲେ। ତାଙ୍କ ଟେଲିଫୋନ୍‌ କଲ୍‌ କିମ୍ବା ମେସେଜ୍‌ର ଜବାବ ଦେବା ବନ୍ଦ କରି ଦେଇଥିଲେ। ସେ ଯେତେବେଳେ ପୋଲିସର ଦ୍ୱାରସ୍ଥ ହୋଇଥିଲେ, ସେତେବେଳେ ବରୁଣ ପୁଣି ତାଙ୍କ ସହିତ ଯୋଗାଯୋଗ ଆରମ୍ଭ କରିଥିଲେ। ମାତ୍ର ବିବାହ କଥା ଉଠାଇବା ମାତ୍ରେ ପୁନର୍ବାର ଦୂରେଇ ଯାଇଥିଲେ ଏବଂ ତାଙ୍କ ଉପରେ ଚାପ ପକାଇଲେ ସେ ତାଙ୍କ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ କରିଦେବେ ବୋଲି ଧମକ ଦେଇଥିଲେ।
ବରୁଣ ୨୦୨୧ରେ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ବର୍ତ୍ତମାନ ସେ ପଞ୍ଜାବ ପୋଲିସରେ ଡିଏସ୍‌ପି ପଦବୀକୁ ପଦୋନ୍ନତି ପାଇଛନ୍ତି। ଭାରତୀୟ ପିଙ୍ଗଳ କୋଡ୍‌ ଅଧୀନ ଯୌନ ଅପରାଧ ଶିଶୁ ସୁରକ୍ଷା ଆଇନ ପୋକ୍ସୋର ଧାରା ୩୭୬ ଓ ୪୨୦ ଅଧୀନରେ ଏହି ହକି ଖେଳାଳିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା ବେଙ୍ଗାଲୁରୁ ପୋଲିସ କହିଛି। ଟୋକିଓ ଅଲିମ୍ପିକ୍ସ ପାଇଁ ବରୁଣ ଭାରତୀୟ ଦଳର ଷ୍ଟାଣ୍ଡବାଇ ଖେଳାଳି ରହିଥିଲେ। ବର୍ତ୍ତମାନ ସେ ଜାତୀୟ ଦଳ ସହ ଭୁବନେଶ୍ୱରରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ପାଇଁ ଟ୍ରେନିଂ ନେଉଛନ୍ତି। ଭାରତ ଫେବୃଆରୀ ୧୦ରେ ଏହାର ଉଦ୍‌ଘାଟନୀ ମ୍ୟାଚ ସ୍ପେନ୍‌ ବିପକ୍ଷରେ ଖେଳିବ। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା ବରୁଣ ଫେରାର ହୋଇଥିବା ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଛି ହକି ଇଣ୍ଡିଆ ତରଫରୁ ତାହାକୁ ଖଣ୍ଡନ କରାଯାଇଛି। ଏହା ବାଜେ କଥା। ସେ ବର୍ତ୍ତମାନ ଭୁବନେଶ୍ୱରରେ ଦଳ ସହିତ ଟ୍ରେନିଂ ନେଉଥିବା ସଫେଇ ଦିଆଯାଇଛି। ସୂଚନାଯୋଗ୍ୟ, ବରୁଣଙ୍କ ଘର ହେଉଛି ହିମାଚଳ ପ୍ରଦେଶରେ। ୨୦୧୭ରେ ତାଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସ୍ଥାନ ମିଳିଥିଲା।

Share