ମନ୍ତ୍ରୀଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର,୧୪ା୪ (ବ୍ୟୁରୋ): ଶାସକ ଦଳର ଜଣେ ମନ୍ତ୍ରୀଙ୍କ ନାଁରେ ବଳାତ୍କାର ଅଭିଯୋଗ ଆସିଛି। ଭୁବନେଶ୍ୱର ମହିଳା ଥାନାରେ ନିଜ ଦଳର ଜଣେ ନେତ୍ରୀ ଗୁରୁବାର ମନ୍ତ୍ରୀଙ୍କ ବିରୋଧରେ ଏହି ସଙ୍ଗିନ ଅଭିଯୋଗ ଆଣିଛନ୍ତି। ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଥିବା ପୋଲିସ କହିଛି। ପୋଲିସ ଟିମ୍‌ ସମ୍ପୃକ୍ତା ନେତ୍ରୀଙ୍କୁ ପଚରାଉଚରା କରିବା ସହ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଡାକ୍ତରୀ ପରୀକ୍ଷା କରିଥିଲା। ହସ୍ପିଟାଲରୁ ବାହାରିବା ପରେ ନେତ୍ରୀ କହିଛନ୍ତି, କେସ ହୋଇଛି, ଏତଲା କପିରୁ ଜାଣିପାରିବେ। କମ୍ପ୍ରମାଇଜ କରିବାର ପ୍ରଶ୍ନ ଉଠୁ ନାହିଁ, ମାନସିକ ସ୍ତରରେ ଠିକ ନାହିଁ। ଏହା ମୋର ବ୍ୟକ୍ତିଗତ ବ୍ୟାପାର। ଆଇନ ଉପରେ ମୋର ଭରସା ଅଛି, ମୋତେ ନ୍ୟାୟ ମିଳିବ। ଦଳର ମୁଖିଆ ମୁଖ୍ୟମନ୍ତ୍ରୀଙ୍କ ଉପରେ ଯଥେଷ୍ଟ ଭରସା ଅଛି ବୋଲି ନେତ୍ରୀ ଜଣଙ୍କ କହିଛନ୍ତି। ଏ ସଂକ୍ରାନ୍ତରେ ଡିସିପି ପ୍ରତୀକ ସିଂ କହିଛନ୍ତି, ସ୍ପଷ୍ଟ ଭାବେ ମନ୍ତ୍ରୀଙ୍କ ନାଁରେ ମହିଳା ଜଣଙ୍କ ଅଭିଯୋଗ ଆଣିନାହାନ୍ତି। ଅଭିଯୋଗରେ କିଛି ଗୋଳମାଳିଆ ରହୁଛି। ପ୍ରାଥମିକ ଯାଞ୍ଚରୁ ଅଭିଯୋଗର ସତ୍ୟାସତ୍ୟ କିଛି ବାହାରି ନ ଥିବା ସିଂ କହିଛନ୍ତି। ତେବେ ଏହି ଘଟଣାକୁ ଚପାଇବାକୁ ଏତଲାକାରୀ ନେତ୍ରୀଙ୍କ ଉପରେ ମନ୍ତ୍ରୀଙ୍କ ପକ୍ଷରୁ ପ୍ରବଳ ଚାପ ପକାଯାଉଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏନେଇ ଶୁକ୍ରବାର ଅଧିକ ସୂଚନା ମିଳିପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।