ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

କୋକସରା,୧।୩: କଳାହାଣ୍ଡି ଜିଲା କୋକସରା ଥାନା ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗ ଆସିଛି। ଏହି ଘଟଣାରେ କୋକସରା ପୋଲିସ ସୋମବାର ଲଟାପଡ଼ା ଗାଁର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ଦେଇଥିବା ସୂଚନା ମୁତାବକ, ଲଟାପଡା ଗ୍ରାମର ଜଣେ ଯୁବକ କୋକସରା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଫେବୃୟାରୀ ୨୧ରେ ଅପହରଣ କରିନେଇଥିଲେ। ଏନେଇ ନାବାଳିକାଙ୍କ ବାପା ୨୨ତାରିଖରେ କୋକସରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଧର୍ମଗଡ଼ ଥାନା ଅଧୀନ ଚିଲିଚିଲା ଗ୍ରାମରୁ ନାବାଳିକାକୁ ଉଦ୍ଧାର କରିବା ସହ ଅପହୃତା ଯୁବକଙ୍କୁ ଧରି ଥାନାକୁ ଆଣିଥିଲା। ପୋଲିସ ନାବାଳିକାଙ୍କ ବୟାନ ରୋକର୍ଡ କରିଛି। ନାବାଳିକାକୁ ଅପହରଣ ଏବଂ ବଳାତ୍କାର ଅଭିଯୋଗରେ ପୋଲିସ ଯୁବକଙ୍କୁ କୋର୍ଟ ଚାଲାଣ କରିଛି। ଏନେଇ କୋକସରା ଥାନାରେ ଏକ ମାମଲା (ନଂ. ୩୬/୨୧) ରୁଜୁ ହୋଇଥିବା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସୂଚନା ଦେଇଛନ୍ତି।