୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ, ଭଟଲି ଥାନା ଅନ୍ତର୍ଗତ ମହଦା ଗ୍ରାମର ସହଦେବ ଓରଫ୍‌ ଗଙ୍ଗାଧର ପାଣ୍ଡେ(୪୨)। ତାଙ୍କୁ ବରଗଡ଼ କୋର୍ଟକୁ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବା ପରେ ଜିଲା କାରାଗାରକୁ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ସହଦେବ ଗତ ୨୦୧୦ ମସିହା ଏପ୍ରିଲ ମାସ ୭ତାରିଖ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଭଟଲି ଥାନାରେ ଅଭିଯୋଗ ହୋଇଥିଲା। ସେତେବେଳେ ପୋଲିସ ପୀଡ଼ିତାଙ୍କ ଏତଲାକୁ ଭିତ୍ତି କରି ତାଙ୍କ ବିରୋଧରେ ଦଫା ୩୭୬, ୪୧୭କ୍ରମେ ଏକ ମାମଲା(ନଂ-୩୪/୨୦୧୦) ରୁଜୁ କରିଥିଲା। ତେବେ ଘଟଣା ପରେ ଅଭିଯୁକ୍ତ ଜଣଙ୍କ ଫେରାର୍‌ ଥିଲେ। ଖୋଜାଖୋଜି କରିବା ସତ୍ତ୍ୱେ ପୋଲିସ ତାଙ୍କୁ ଧରିବାରେ ସକ୍ଷମ ହୋଇ ପାରି ନ ଥିଲା ଏବଂ ତାଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ସରକାର ୫୦୦ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ତେବେ ଗୁରୁବାର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହେବା ପରେ ପୀଡ଼ିତାଙ୍କ ସମେତ ପରିବାର ଲୋକେ ଖୁସି ଅନୁଭବ କରିଥିବା ପୋଲିସ ସୂଚନା ଦେଇଛି।

Dharitri – Odisha’s No.1 Odia Daily

Share