ବାହାରିଲା ରାମନବମୀ ଶୋଭାଯାତ୍ରା: ୨୦ ହଜାର ଭକ୍ତ ସାମିଲ

କୋରାପୁଟ,୩୦।୩(ସ୍ବ.ପ୍ର.): କୋରାପୁଟ ସହରରେ ଗୁରୁବାର ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳିତ ହେଉଛି। ଏହି ଅବସରରେ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଏକାଠି ହୋଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରୁଛନ୍ତି। ପୂର୍ବାହ୍ନ ୧୧ଟାରୁ କୋରାପୁଟ ସହରର ସ୍ଥାନୀୟ ଅଶୋକନଗରସ୍ଥିତ ହନୁମାନ ବାଟିକାଠାରୁ ବାହାରିଥିବା ଏହି ବିଶାଳ ଶୋଭାଯାତ୍ରାରେ ଏକ ସୁସଜ୍ଜିତ ରଥରେ ମହାପ୍ରଭୁ ରାମଙ୍କ ଭବ୍ୟ ଫଟୋକୁ ରଖାଯାଇଛି। ତେବେ ଅନ୍ୟ କେତେକ ସୁସଜ୍ଜିତ ଗାଡ଼ିରେ ଭକ୍ତମାନେ ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ଆଦି ବେଶ ହୋଇ ବସିଥିବା ଦେଖିବାକୁ ମିଳିଛି।

ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରୁଥିବା ବେଳେ ସମସ୍ତଙ୍କ ମୁହଁରେ ଜୟ ଶ୍ରୀରାମ ଧ୍ୱନି ସହରରେ ଭକ୍ତିମୟ ପରିବେଶ ସୃଷ୍ଟି କରିଛି। ଉଭୟ ପୁରୁଷ ଓ ମହିଳା ପୃଥକ୍‌ ଭାବେ ବାଇକ୍‌ ଓ ସ୍କୁଟିରେ ସହର ପରିକ୍ରମା କରୁଥିବା ଦେଖିବାକୁ ମିଳିଛି। ଶୋଭାଯାତ୍ରା ବେଳେ ସହରର ପ୍ରତ୍ୟେକ ପରିବାର ଦୀପ ଲଗାଇ ରଥକୁ ସ୍ବାଗତ କରୁଛନ୍ତି। ଶୋଭାଯାତ୍ରାରେ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରୁ ୫ଶହରୁ ଊର୍ଦ୍ଧ୍ୱ ସଂକୀର୍ତ୍ତକ ମଣ୍ଡଳୀ ସାମିଲ ହୋଇଛନ୍ତି। ଶୋଭାଯାତ୍ରା ସହର ପରିକ୍ରମା କରି ପୂଜାରିପୁଟ ରାମମନ୍ଦିରରେ ଶେଷହେବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି।

ସେହିପରି ରାମନବମୀ ଉପଲକ୍ଷେ ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ପୂଜାରିପୁଟ କଲ୍ୟାଣ ମଣ୍ଡପରେ ଗୀତାଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଏଠାରେ ପ୍ରାୟ ୨୦ ହଜାର ଶ୍ରଦ୍ଧାଳୁଙ୍କ ପାଇ କମିଟି ପକ୍ଷରୁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଥିବା କମିଟି ସଭାପତି ରାମପ୍ରସାଦ ସାହୁ, ସମ୍ପାଦକ ସନ୍ତୋଷ କୁମାର ଜେନା ପ୍ରମୁଖ ସୂଚନା ଦେଇଛନ୍ତି। ଶୋଭାଯାତ୍ରା ବେଳେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।