Categories: ରାୟଗଡା

ହାଇ ଭୋଲ୍‌ଟେଜ ଡ୍ରାମାରେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ଗୁଣପୁର,୧୩।୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହାଇ ଭୋଲ୍‌ଟେଜ ଡ୍ରାମାରେ ଶେଷ ହୋଇଛି। ରବିଶଙ୍କର ଗମାଙ୍ଗ କଂଗ୍ରେସ ସମର୍ଥନରେ ବ୍ଲକ ଅଧ୍ୟକ୍ଷ ହେବାରେ ସଫଳ ହୋଇଛନ୍ତି। ଗତ ନିର୍ବାଚନରେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ଆସନ ବିଜେଡି ଦଖଲରେ ରହିଥିଲା। ଚଳିତ ନିର୍ବାଚନରେ ‘ଏ’ ଜୋନ୍‌ରେ କଂଗ୍ରେସ ଏବଂ ‘ବି’ ଜୋନ୍‌ରେ ବିଜେଡି ବିଜୟୀ ହୋଇଥିଲା। ଅଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବିଜେଡି ସଫଳ ହୋଇନାହିଁ। ଏହି ନିର୍ବାଚନରେ ବିଜେଡିକୁ ରାମନାଗୁଡ଼ା ବ୍ଲକରେ ଶକ୍ତ ଝଟକା ଲାଗିଛି। ଜିଲା ସମ୍ପାଦକ ଗଗନ ଆଚାର୍ଯ୍ୟ ଜିଲା ପରିଷଦ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ୱିତା କରି ହାରି ଯାଇଛନ୍ତି।
ଏପରି ରାଜନୈତିକ ଘଟଣାକ୍ରମ ମଧ୍ୟରେ ଅଧ୍ୟକ୍ଷ ନିର୍ବାଚନ ପାଇଁ ଦଳଗୁଡ଼ିକ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଥିଲା। ଭାଜପା ସମ୍ପାଦକ ରବିଶଙ୍କର ଗମାଙ୍ଗ ଦଳ ଛାଡ଼ି କଂଗ୍ରେସରେ ଯୋଗଦେଇଥିଲେ। କଂଗ୍ରେସ ସମର୍ଥନରେ ସେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ହେବାରେ ସଫଳ ହୋଇଛନ୍ତି। ସେ ୮ଖଣ୍ଡ ଭୋଟ ପାଇଛନ୍ତି। ଅପରପକ୍ଷେ କଂଗ୍ରେସ ସମର୍ଥନରେ ପାରିଖିତି ପଞ୍ଚାୟତରୁ ବିଜୟ ଲାଭ କରିଥିବା ସମିତି ସଭ୍ୟା ଲକ୍ଷ୍ମୀ କାଡ୍ରାକା ବିଜେଡି ସହଯୋଗରେ ଅଧ୍ୟକ୍ଷା ପାଇଁ ପ୍ରାର୍ଥୀ ହୋଇଥିଲେ। ସେ ୪ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି। ତେବେ ଅଧ୍ୟକ୍ଷ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଯଥା ଶୁକ୍ରବାର ହାଇ ଭୋଲ୍‌ଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ରବିଶଙ୍କର ଗମାଙ୍ଗ ଏବଂ ତାଙ୍କ ସମର୍ଥକମାନେ ଗୁଣପୁର ଥାନାକୁ ରାତି ତମାମ ଘେରାଉକରି ଜଗି ରହିଥିଲେ। ବୁତିଂ ପଞ୍ଚାୟତର ସମିତି ସଭ୍ୟ ଆପାରାଓ ପାତିକାଙ୍କୁ ଛାଡ଼ିବା ଦାବିରେ ଧାରଣା ଦେଇଥିଲେ। ଆପାରାଓଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ମା’ ଗୁଣପୁର ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଗୁଣପୁର ପୋଲିସ ଫୋନ୍‌ ଟ୍ରାକିଂ କରି ତାଙ୍କୁ ଗାରାବନ୍ଧ ଅଞ୍ଚଳରୁ ଧରି ଗୁଣପୁର ଥାନାକୁ ଆଣି ରଖିଥିଲେ। ଏହାକୁ ନେଇ ରବିଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଆପାରାଓଙ୍କୁ ଛାଡ଼ିବା ଦାବିରେ ସେମାନେ ଧାରଣାରେ ବସିଥିଲେ। ହେଲେ ପୋଲିସ ତାଙ୍କୁ ଛାଡ଼ି ନ ଥିଲା। ଶନିବାର ସକାଳେ ପୋଲିସ ତାଙ୍କୁ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାମନାଗୁଡ଼ା ବ୍ଲକଠାରେ ନିର୍ବାଚନ ସମୟରେ ପହଞ୍ଚାଇଥିଲା। ଏହାପରେ ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ଆସନ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ରବିଶଙ୍କର ଗମାଙ୍ଗ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ଅପହରଣ ଅଭିଯୋଗକୁ ନେଇ ଆପାରାଓ କହିଛନ୍ତି, ତାଙ୍କୁ ଅପହରଣ କରାଯାଇ ନ ଥିଲା। ନିର୍ବାଚନ ପରେ ସମସ୍ତ ସମିତିସଭ୍ୟ ବୁଲିବାକୁ ଯାଇଥିଲୁ ବୋଲି ସେ କହିଛନ୍ତି।