୨୨୧ବର୍ଷରେ କାଷ୍ଠମୁଖାଧାରୀ ରାମଲୀଳା

ନୟାଗଡ଼ ଅଫିସ/ ଦଶପଲ୍ଲା,୩୦।୩(ଡି.ଏନ.ଏ.): ଗୁରୁବାର ରାମନବମୀରୁ ଆରମ୍ଭ ହେଉଛି ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା। ରାମାୟଣର ବିଭିନ୍ନ ପ୍ରସଙ୍ଗକୁ ନେଇ ୧୪ଦିନ ଧରି ଏହା ମଙ୍ଗଳରାତି ବୁଧ ପାହାନ୍ତିରେ ରାବଣ ବଧ ପରେ ଲଙ୍କାପୋଡି ଯାତ୍ରା ଉଦ୍‌ଯାପିତ ହେବ। ୧୮୦୨ରୁ ଏହି ଯାତ୍ରା ଓ କାଷ୍ଠମୁଖାଧାରୀ ରାମଲୀଳା ମହାବୀର କ୍ଷେତ୍ର ଦଶପଲ୍ଲାରେ ହୋଇ ଆସୁଛି। ଦଶହରାରେ ଷୋଳ ପୂଜାରୁ ଆରମ୍ଭ ହୁଏ ଲଙ୍କାପୋଡି ଯାତ୍ରାର ଶୁଭାରମ୍ଭ। ଭଲ ଦିବସ ଅଥବା ଦୋଳପୂର୍ଣ୍ଣିମାରୁ ଆରମ୍ଭ ହୁଏ ରାମ ନାଟକର ଆଖଡା। ଅଶୋକାଷ୍ଟମୀରେ ଆଖଡା ଶେଷ ପରେ ରାମନବମୀରେ ଆରମ୍ଭ ହୁଏ ରାମ ନାଟକ। ଶ୍ରରାମ ଜନ୍ମଠାରୁ ଆରମ୍ଭ କରି ଶ୍ରୀରାମ ଅଭିଷେକ ପର୍ଯ୍ୟନ୍ତ ବିଷୟବସ୍ତୁକୁ ନେଇ ଅଭିନୟ ଓ ନୃତ୍ୟରେ କଳାକାରମାନେ ନାଟକ ମଞ୍ଚସ୍ଥ କରିଥାନ୍ତି। ଆଜିର ବିଜ୍ଞାନ ଯୁଗରେ ବି ଦଶପଲ୍ଲା ରାମ ନାଟକର ଲୋକପ୍ରିୟତା ବଢ଼ି ଚାଲିଛି।
ହନୁମାନ, ବାଳୀ, ସୁଗ୍ରୀବ, ଅଙ୍ଗଦ, ଜାମ୍ବବାନ, ରାବଣ, କୁମ୍ଭକର୍ଣ୍ଣ, ବିଭୀଷଣ, ଇନ୍ଦ୍ରଜିତ, ତାଡକା, ସୁପର୍ଣ୍ଣଖା, ମାୟାମୃଗ ପରି ୨୧ ଚରିତ୍ର କାଷ୍ଠମୁଖା ପରିଧାନ କରି ନିଖିୁଣ ଅଭିନୟ କରିଥାନ୍ତି। ନାଟକର ବିଭିନ୍ନ ଚରିତ୍ର କାଷ୍ଠମୁଖା ପରିଧାନ କରୁଥିବାରୁ ନାଟକକୁ କାଷ୍ଠମୁଖାଧାରୀ ରାମାୟଣ କୁହଯାଉଛି। କେତେଜଣ ପାଳିଆ ଓ କଳାକାର ରାମାୟଣର ପୁରାଣ ପୋଥିକୁ ସଙ୍ଗୀତ ଆକାରରେ ପରିବେଷଣ କରିଥାନ୍ତି। ରାମ ପର୍ଶୁରାମ ଭେଟରେ ନୃତ୍ୟ, ଗୀତ ସହିତ ସଂଳାପ ଦେଖିବାକୁ ମିଳେ। ବାଣଯୁକ୍ତ ଧନୁ ନାଟକରେ ଅଭିନୟ କରୁଥିବା ଚରିତ୍ରମାନେ ବ୍ୟବହାର କରିଥାନ୍ତି। ପରମ୍ପରା ଅନୁସାରେ ସଂକ୍ରାନ୍ତି, ଗୁରୁବାର ରାମ ନାଟକ ବନ୍ଦ ଥିବାରୁ ଯାତ୍ରାର ଦିନ ବଢ଼ି ଯାଇଥାଏ। ସୀତାହରଣ ଠାରୁ ଗହଳି ବଢ଼େ। ସୀତା ହରଣ ଦିବସରେ ପୁଷ୍ପକଯାନ ଓ ୩୫ ଫୁଟର କାଷ୍ଠର ରାବଣ ଦେଖିବାକୁ ମିଳେ।
ଯାତ୍ରାର ଅନ୍ତିମ ରାତ୍ରୀରେ ମହାବୀରଙ୍କ ପୀଠାରୁ ବାସ୍ତବ ଅଭିନୟ କରୁଥବା ରାମ, ଲକ୍ଷ୍ମଣ କାଷ୍ଠ ରାବଣଙ୍କ ସହ ଯୁଦ୍ଧ କରି ୧ କିମି ପର୍ଯ୍ୟନ୍ତ ରାସ୍ତା ଅତିକ୍ରମ କରନ୍ତି। ପୁଷ୍ପକ ବିମାନର ବ୍ୟବହାର ଦେଖିବାକୁ ମିଳେ। ପୁଣି ମାନସିକ ବାଣ ରାତି ତମାମ ଫୁଟିବା କାରଣରୁ ପରିବେଶ ଧୁମାୟିତ ହୋଇ ପଡେ। ରାଜ୍ୟ ବିଭିନ୍ନ ଅଞ୍ଚଳରୁ ଭକ୍ତ ଆସି ଏଠାରେ ମାନସିକ କରି ନିଜର ମନସ୍କାମନା ପୂରଣ କରୁଥିବାର ନଜିର ରହିଛି। ରାମଙ୍କ ଅଭିଷେକ ଦଶପଲ୍ଲାରେ ଅଯୋଧ୍ୟାର ଭ୍ରମ ସୃଷ୍ଟି କରେ।
ରିପୋର୍ଟ: ଲୋକନାଥ ମିଶ୍ର,
ସହଯୋଗୀ- ପ୍ରକାଶ କୁମାର ପାଣି