ରାମଲାଲାଙ୍କୁ ସମର୍ପଣ କରାଯିବ ମୟୂରକଣ୍ଠିଆ ଧନୁତୀର

ଖଣ୍ଡପଡ଼ା,୧୪ା୧(ଅଜୟ କୁମାର ମହାରଣା)ଆସନ୍ତା ୨୨ ତାରିଖରେ ଅଯୋଦ୍ଧାରେ ରାମ ମନ୍ଦିର ସହ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍‌ ଅଧୀନ କଣ୍ଟିଲୋ ପଞ୍ଚାୟତ ଖୁଦବେହେରା ପାଟଣାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ସୁଦର୍ଶନ ସାହୁଙ୍କ ଦ୍ୱାରା ପ୍ରଦତ୍ତ ଏକ ମୟୂର କଣ୍ଠିଆ ଧନୁ ଓ ତୀର ରାମଲାଲାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱର ଜାଗମରା ତୁଳସୀ ବିହାରସ୍ଥିତ ଐତିହ୍ୟ ଗବେଷକ ଓ ଗୋପୀନାଥ କଂସା ପିତଳ ସଂଗ୍ରହାଳୟର ମୁଖ୍ୟ ପରିଚାଳକ ତଥା ସଂଗ୍ରାହକ ସାହୁ ଉକ୍ତ ଧନୁ ଓ ତୀରକୁ ନିଜସ୍ବ ଡ଼ିଜାଇନ,ନକ୍ସାରେ ସ୍ବତନ୍ତ୍ର ଭାବେ ଗଞ୍ଜାମ ଜିଲା ଜଗମୋହନ ଅଞ୍ଚଳର ପ୍ରଦୀପ କୁମାର ମହାରଣାଙ୍କ ଦ୍ୱାରା ପ୍ରସ୍ତୁତ କରାଇଥିଲେ। ୨୫ ଇଞ୍ଚର ଏହି ଧନୁ ଓ ତୀରକୁ ପ୍ରସ୍ତୁତ କରିବା ପାଇଁ ସାହୁଙ୍କୁ ୩ମାସରୁ ଊର୍ଦ୍ଧ୍ୱ ସମୟ ଲାଗିଥିବା ବେଳେ ଧନୁର ଉଭୟ ପାର୍ଶ୍ୱ ମୟୂର କଣ୍ଠ ଆକୃତିର ହୋଇଛି ା ଧନୁର ଗୁଣଟି ତମ୍ବା ତାର ଦ୍ୱାରା ସଂଯୋଗ ହୋଇଛି, ଯାହାକି ତେନ୍ତୁଳିଆ ବିଛା ପରି ପରିଲକ୍ଷିତ ହୋଇଛି। ଏହାଛଡା ତୀରଟି ବଗ ପକ୍ଷୀ ଆକୃତିର ଦେଖାଯିବା ସହ ଧନୁର ଶୀର୍ଷଭାଗ ଓଲଟ ଶୁଆ ସଦୃଶ ହୋଇଛି ା ଏହି ଧନୁ ଓ ତୀରକୁ ରାମଲାଲାଙ୍କୁ ସମର୍ପଣ କରିବା ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ୍ତି ରାୟ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସାହୁ ଓ ତାଙ୍କ ପରିବାର ଗୁରୁବାର ପୁରୀର ପାପୁଡିଆ ମଠାଧୀଶ ରାମକୃଷ୍ଣ ଦାସ ମହାରାଜ ଓ କଟକୀ ମଠାଧୀଶ ଡ.ବିଜୟ ରାମାନୁଜଙ୍କୁ ସାକ୍ଷାତ କରି ଉକ୍ତ ଧନୁ ଓ ତୀରକୁ ଅର୍ପଣ କରିଛନ୍ତି।
ସୂଚନାଯୋଗ୍ୟ, ସାହୁଙ୍କ ବାପା ସ୍ବର୍ଗତ ଗୋପୀନାଥ ସାହୁ ଜଣେ କୁଶଳୀ କଂସା ପିତଳ କାରିଗର ଥିଲେ। ସେ କଣ୍ଟିଲୋ ଅଞ୍ଚଳରେ ଦୀର୍ଘବର୍ଷରୁ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇ ଆସୁଥିବା ରାମଲୀଳାରେ ରାମ ଓ ହନୁମାନ ଭୂମିକାରେ ଅଭିନୟ କରି ବହୁ ପ୍ରଶଂସିତ ହୋଇଥିଲେ। ଏଣୁ ବାପାଙ୍କ ସ୍ମୃତିରେ ଓଡ଼ିଶାର କଳା,ସଂସ୍କୃତି ଓ ପରମ୍ପରାର ଛାପକୁ ଆଧାର କରି ସାହୁ ଏହି ଧନୁ ଓ ତୀର ପ୍ରସ୍ତୁତ କରିଥିବା କହିଛନ୍ତି।

Share