ରାମଚନ୍ଦ୍ର, ଚନ୍ଦ୍ରଶେଖରଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ

ଭୁବନେଶ୍ୱର, ୧୩। ୩ (ବ୍ୟୁରୋ): ୨୦୨୦ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ‘ସାହିତ୍ୟ ଏକାଡେମୀ ପୁରସ୍କାର’, ‘ବାଲ୍‌ ସାହିତ୍ୟ ପୁରସ୍କାର’ ଓ ‘ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’ ଘୋଷଣା କରାଯାଇଛି। ଓଡ଼ିଶାର ବିଶିଷ୍ଟ ଶିଶୁ ସାହିତି୍ୟକ ଡ. ରାମଚନ୍ଦ୍ର ନାୟକ ସମ୍ମାନଜନକ ‘ବାଲ୍‌ ସାହିତ୍ୟ ପୁରସ୍କାର’ ପାଇବେ। ସେ ତାଙ୍କ ରଚିତ ଗଳ୍ପ ସଂକଳନ ‘ବଣ ଦେଉଳରେ ସୁନା ନେଉଳ’ ପାଇଁ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ତାଙ୍କ ଘର କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅତାସାହିରେ। ଅଜିତ୍‌ ବୋରୋ, ପ୍ରଚେତା ଗୁପ୍ତାଙ୍କ ସମେତ ମୋଟ ୨୧ଜଣ ଏହି ପୁରସ୍କାର ପାଇବେ।

ଶୁକ୍ରବାର କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକାଡେମୀର କାର୍ଯ୍ୟକାରୀ କମିଟି ବୈଠକରେ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ତେବେ ମାଲୟାଲମ, ସଂସ୍କୃତ ଓ ତାମିଲ ଭାଷାରେ ବିଜେତାଙ୍କ ନାମ ଆଗାମୀ ଦିନରେ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ସେହିପରି ଓଡ଼ିଶାର ବିଶିଷ୍ଟ ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା ‘ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’ ପାଇବେ। ପ୍ରବନ୍ଧ ପୁସ୍ତକ ‘ଚେତନାର ଅନ୍ବେଷଣ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ତାଙ୍କ ଘର ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଅନ୍ତର୍ଗତ ଗୁରୁଜିଭଟ୍ଟା ଗାଁରେ ହୋଇଥିବାବେଳେ ଏବେ ନବରଙ୍ଗପୁରରେ ଡିଏସ୍‌ପି ଭାବେ କାର୍ଯ୍ୟରତ। ଦ୍ୱିଜେନ ଦାସ, ଗଗନ ଶର୍ମା, ଅଞ୍ଜନ ବାସ୍କୋଟାଙ୍କ ସମେତ ୧୮ଜଣ ଏହି ପୁରସ୍କାର ପାଇବେ। ଏହି ଦୁଇ ପୁରସ୍କାର ବାବଦରେ ସମସ୍ତ ବିଜେତାଙ୍କୁ ୫୦ହଜାର ଟଙ୍କା ସହ ତାମ୍ର ଫଳକ ପ୍ରଦାନ କରାଯିବ।

ଅନ୍ୟପକ୍ଷରେ ୨୦ଟି ଭାଷାରେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ଘୋଷିତ ହୋଇଛି। ଏଥିମଧ୍ୟରେ ୭ କବିତା ପୁସ୍ତକ, ୪ ନୋଭେଲ୍‌, ୫ କ୍ଷୁଦ୍ରଗଳ୍ପ, ୨ ନାଟକ, ଗୋଟିଏ ସ୍ମୃତିକଥା ଏବଂ ଗୋଟିଏ ମହାକାବ୍ୟ ରହିଛି। ପୁରସ୍କାର ବାବଦକୁ ବିଜେତାମାନଙ୍କୁ ୧ଲକ୍ଷ ଟଙ୍କା ସହ ତାମ୍ର ଫଳକ ପ୍ରଦାନ କରାଯିବ। ତେବେ ଓଡ଼ିଆ, ମାଲୟାଲମ୍‌, ନେପାଳୀ ଓ ରାଜସ୍ଥାନୀ ଭାଷାରେ ପୁରସ୍କାର ଘୋଷଣା କରାଯାଇନାହିଁ। ଆଗାମୀ ଦିନରେ ବିଜେତା ଚୟନ କରାଯାଇ ପୁରସ୍କାର ଘୋଷଣା କରାଯିବ ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।