ରାମଚନ୍ଦ୍ର ବେହେରା ପାଇବେ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’

ଭୁବନେଶ୍ୱର, ୨୭।୧(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବୁଧବାର ୨୦୨୦ ପାଇଁ ଏକାଡେମୀର ସର୍ବୋଚ୍ଚ ମର୍ଯ୍ୟାଦାଜନକ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଓ ‘ବୟୋଜ୍ୟେଷ୍ଠ ସାରସ୍ବତ ସମ୍ମାନ’ ଘୋଷଣା କରାଯାଇଛି। ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରାଙ୍କୁ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପ୍ରଦାନ ପାଇଁ ଏକାଡେମୀ ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିପାଇଁ ତାଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ସହ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯିବ। ସେହିଭଳି ୧୫ଜଣ ବୟୋଜ୍ୟେଷ୍ଠ ସାରସ୍ବତ ସାଧିକାସାଧକଙ୍କୁ ସମ୍ବର୍ଦ୍ଧିତ କରାଯିବ। ସେମାନେ ହେଲେ ଦେବେନ୍ଦ୍ର କୁମାର ଦାଶ, ଗିରିଜା ଶଙ୍କର ଶର୍ମା, ଅଶୋକ କୁମାର ପଟ୍ଟନାୟକ, ବାବାଜୀ ଚରଣ ପଟ୍ଟନାୟକ, ବାଇଧର ସାହୁ, ଜୀବନକୃଷ୍ଣ ମହାପାତ୍ର, ଦିଗରାଜ ବ୍ରହ୍ମା, ରୁଦ୍ରନାରାୟଣ ପୃଷ୍ଟି, ସୌଭାଗିନୀ ମିଶ୍ର, ସ୍ବରାଜ୍ୟଲକ୍ଷ୍ମୀ ମିଶ୍ର, କୃପାସିନ୍ଧୁ ନାୟକ, ନିର୍ମଳପ୍ରଭା ନାୟକ, ରାସେଶ୍ୱରୀ ମିଶ୍ର, ରାଧାବିନୋଦ ନାୟକ ଓ ମହେଶ୍ୱର ମୂଳିଆ। ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହିତ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯିବ। ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି।