ମୁମ୍ବାଇ:ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ: ପାର୍ଟ ୧’ ବକ୍ସ ଅଫିସ୍ରେ ଆଉ ଏକ ବଡ଼ ରେକର୍ଡ କରିଛି। ରିଲିଜ୍ର ମାତ୍ର ୫ ଦିନ ମଧ୍ୟରେ ଫିଲ୍ମର ବିଶ୍ୱବ୍ୟାପୀ ଆୟ ପ୍ରାୟ ୬୬୩.୯୦ କୋଟି ଟଙ୍କାରେ ପହଞ୍ଚିଛି। ଏହି ଫିଲ୍ମ ଦୀପାବଳି ପରେ ମଧ୍ୟ ବକ୍ସ ଅଫିସ୍ରେ ନିଜର ଦବଦବା ଜାରି ରଖିଛି।
ଫିଲ୍ମଟି ପ୍ରଥମ ସୋମବାରରେ ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମର ନୂଆ ରେକର୍ଡ କରିଛି। ଏହା ସହ ରଣବୀର ସିଂହଙ୍କ ଫିଲ୍ମ ‘ଧୁରନ୍ଧର ୨’ର ରିଲିଜ୍ ପରର ପ୍ରଥମ ସୋମବାର ଆୟକୁ ମଧ୍ୟ ପଛରେ ପକାଇଛି। ଓପନିଂ ୱିକେଣ୍ଡରେ ଭଲ ଆରମ୍ଭ କରିଥିବା ଏହି ଫିଲ୍ମର ଆୟ କମିବା ପରିବର୍ତ୍ତେ ଆହୁରି ବଢ଼ିଛି। ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ ଅଭିନୀତ ‘ରାମାୟଣ’ ପଞ୍ଚମ ଦିନରେ ଭାରତରେ ୨୩,୯୧୧ଟି ଶୋ’ରୁ ୧୦୭.୫୦ କୋଟି ଟଙ୍କାର ନେଟ ଆୟ କରିଛି। ଚତୁର୍ଥ ଦିନରେ ଫିଲ୍ମଟି ୫୬.୧୫ କୋଟି ଟଙ୍କା ଆୟ କରିଥିବା ବେଳେ ପଞ୍ଚମ ଦିନରେ ଆୟରେ ୯୧.୫ ପ୍ରତିଶତ ବୃଦ୍ଧି ଘଟିଛି।
ପ୍ରାୟ ୨,୦୦୦ କୋଟି ଟଙ୍କା ବଜେଟ୍ରେ ନିର୍ମିତ ଏହି ଫିଲ୍ମର ହିନ୍ଦୀ ସଂସ୍କରଣ ସର୍ବାଧିକ ଆୟ କରିଛି। ୧୯,୭୮୬ଟି ଶୋ’ରୁ ଏହା ୮୭.୨୫ କୋଟି ଟଙ୍କା ଆୟ କରିଛି। କନ୍ନଡ଼ ସଂସ୍କରଣ ୯୦୮ଟି ଶୋ’ରୁ ୭.୫୦ କୋଟି, ତେଲୁଗୁ ସଂସ୍କରଣ ୧,୬୦୬ଟି ଶୋ’ରୁ ୬ କୋଟି, ତାମିଲ ସଂସ୍କରଣ ୮୨୬ଟି ଶୋ’ରୁ ୪ କୋଟି ଏବଂ ମାଲାୟଲମ ସଂସ୍କରଣ ୭୮୫ଟି ଶୋ’ରୁ ୨.୭୫ କୋଟି ଟଙ୍କା ଆୟ କରିଛି। ଏହା ସହ ଭାରତରେ ଫିଲ୍ମର ମୋଟ ଗ୍ରସ ଆୟ ୪୧୩.୯୦ କୋଟି ଟଙ୍କା ହୋଇଥିବାବେଳେ ନେଟ ଆୟ ୩୪୬.୩୫ କୋଟି ଟଙ୍କାରେ ପହଞ୍ଚିଛି।
‘ରାମାୟଣ: ପାର୍ଟ ୧’ ପ୍ରଥମ ସୋମବାରର ଆୟରେ ‘ଧୁରନ୍ଧର ୨’କୁ ପଛରେ ପକାଇଛି। ‘ଧୁରନ୍ଧର ୨’ ପ୍ରଥମ ସୋମବାରରେ ୬୦ କୋଟି ଟଙ୍କାର ନେଟ ଆୟ କରିଥିଲା। ଅନ୍ୟପଟେ ‘ରାମାୟଣ’ର ପଞ୍ଚମ ଦିନର ଆୟ ୧୦୭.୫୦ କୋଟି ଟଙ୍କା ରହିଛି। ଏହା ଫିଲ୍ମର ଘରୋଇ ବକ୍ସ ଅଫିସ ପ୍ରଦର୍ଶନକୁ ଆହୁରି ମଜଭୁତ କରିଛି। ବିଦେଶୀ ବଜାରରେ ମଧ୍ୟ ଫିଲ୍ମଟି ଭଲ ପ୍ରଦର୍ଶନ କରୁଛି। ବିଦେଶରେ ଏହାର ମୋଟ ଆୟ ୨୫୦ କୋଟି ଟଙ୍କାରେ ପହଞ୍ଚିଛି। ଭାରତ ଓ ବିଦେଶର ଆୟକୁ ମିଶାଇ ଫିଲ୍ମର ବିଶ୍ୱବ୍ୟାପୀ ମୋଟ କଲେକ୍ସନ ୬୬୩.୯୦ କୋଟି ଟଙ୍କା ହୋଇଛି।
ଏତେ ଭଲ ପ୍ରଦର୍ଶନ ସତ୍ତ୍ୱେ ୨୦୨୬ର ସର୍ବାଧିକ ଆୟ କରିଥିବା ଭାରତୀୟ ଫିଲ୍ମ ତାଲିକାର ଶୀର୍ଷରେ ପହଞ୍ଚିବାକୁ ‘ରାମାୟଣ’କୁ ଆହୁରି ଅନେକ ଦୂର ଯିବାକୁ ପଡ଼ିବ। ବର୍ତ୍ତମାନ ଏହା ବିଶ୍ୱବ୍ୟାପୀ ଆୟ ଆଧାରରେ ତୃତୀୟ ସ୍ଥାନରେ ରହିଛି। ଏହାଠାରୁ ଆଗରେ ‘ଧୁରନ୍ଧର: ଦ ରିଭେଞ୍ଜ’ ୧,୮୫୨ କୋଟି ଟଙ୍କା ଏବଂ ‘ଜେଲର୍ ୨’ ୮୨୧ କୋଟି ଟଙ୍କା ଆୟ ସହ ଆଗରେ ରହିଛି।
ନିତେଶ ତିୱାରୀଙ୍କ ନିର୍ଦ୍ଦେଶନା ଏବଂ ନମିତ ମାଲହୋତ୍ରା, ୟଶଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମରେ ରଣବୀର କପୁର ଭଗବାନ ରାମ, ୟଶ ରାବଣ, ସାଇ ପଲ୍ଲବୀ ସୀତା ଏବଂ ରବି ଦୁବେ ଲକ୍ଷ୍ମଣ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ରାଜା ଦଶରଥ ଭୂମିକାରେ ଅରୁଣ ଗୋଭିଲ, କୌଶଲ୍ୟା ଭୂମିକାରେ ଇନ୍ଦିରା କୃଷ୍ଣନ, କୈକେୟୀ ଭୂମିକାରେ ଲାରା ଦତ୍ତା, ମନ୍ଥରା ଭୂମିକାରେ ଶିବା ଚଢ଼ା, ଶୂର୍ପଣଖା ଭୂମିକାରେ ରକୁଲ ପ୍ରୀତ ସିଂହ ଏବଂ ମନ୍ଦୋଦରୀ ଭୂମିକାରେ କାଜଲ ଅଗ୍ରୱାଲ ଅଭିନୟ କରିଛନ୍ତି।
ଫିଲ୍ମର ପ୍ରଥମ ଭାଗ ନଭେମ୍ବର ୫ ତାରିଖରେ ସିନେମା ହଲ୍କୁ ଆସିଥିଲା। ଦ୍ୱିତୀୟ ଭାଗ ପୂର୍ବରୁ ଆସନ୍ତା ବର୍ଷ ଦୀପାବଳି ସମୟରେ ରିଲିଜ ହେବାର ଯୋଜନା ଥିବା ବେଳେ ଏବେ ଏହାକୁ ୨୦୨୮କୁ ଘୁଞ୍ଚାଇ ଦିଆଯାଇଛି।
Dharitri – Odisha’s No.1 Odia Daily

