ଜଗନ୍ନାଥ ଅବତାରୀ, ରାମ ଅବତାର

ପୁରୀ ଅଫିସ, ୬।୮: ଅଯୋଧ୍ୟାରେ ବୁଧବାର ରାମମନ୍ଦିରର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି। ଦେଶର ବିଭିନ୍ନ ସ୍ଥାନ ଭଳି ପୁରୀରେ ମଧ୍ୟ ଏହି ଉତ୍ସବକୁ ନେଇ ଏକ ଭାବାତ୍ମକ ପରିବେଶ ଦେଖିବାକୁ ମିଳିଛି। ସିଂହଦ୍ୱାର ସମ୍ମୁଖରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୂଜାର୍ଚ୍ଚନା ସହ ଦୀପଦାନ କରାଯାଇଛି। ଶ୍ରୀମନ୍ଦିରର କେତେଜଣ ସେବାୟତ ଏହି କାର୍ଯ୍ୟର ସଫଳତା ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏଭଳି ଏକ ସର୍ବଭାରତୀୟ କାର୍ଯ୍ୟକ୍ରମର ପ୍ରଭାବ ଦେଶର ସବୁଆଡ଼େ ପଡ଼ିବା ସ୍ବାଭାବିକ, ଯାହା ଜଗନ୍ନାଥ ଧାମରେ ମଧ୍ୟ ପ୍ରତିଫଳିତ ହୋଇଛି। କିନ୍ତୁ ଏଥିପାଇଁ ଅନ୍ୟାନ୍ୟ ମନ୍ଦିରରେ ହେଉଥିବା ସ୍ବତନ୍ତ୍ର ପୂଜାର୍ଚ୍ଚନା ପରି ଜଗନ୍ନାଥ ଉପାସନାରେ ଏହା ସମ୍ଭବ ନୁହେଁ। କାରଣ ଜଗନ୍ନାଥ ଉପାସନାରେ ମୂଳରୁ ରାମଙ୍କ ସମ୍ପୃକ୍ତି ରହିଥିବା କୌଣସି ପୋଥି ପ୍ରମାଣ ମିଳେ ନାହିଁ। ଏପରି କି ଚତୁର୍ଦ୍ଧାବିଗ୍ରହଙ୍କ ଉପାସନା ପାଇଁ ନିର୍ଦ୍ଦିଷ୍ଟ ନୀତି ଓ ବିଧି ରହିଛି। ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ଅନୁସାରେ ହିଁ ଏଠାରେ ସେବାପୂଜା ହୋଇଥାଏ। କୌଣସି ଏକ କାର୍ଯ୍ୟର ସଫଳତା ପାଇଁ ଏଠାରେ ପ୍ରାର୍ଥନା ସମ୍ଭବ, ମାତ୍ର ଜଗନ୍ନାଥଙ୍କ ନୀତି ଭିତରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଅସମ୍ଭବ।

ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କ ମତ ଅନୁଯାୟୀ, ଜଗନ୍ନାଥ ହେଉଛନ୍ତି ଅବତାରୀ। ତାଙ୍କର ଏଗାର ପ୍ରତିନିଧିଙ୍କ ମଧ୍ୟରେ ରାମଚନ୍ଦ୍ର ଅନ୍ୟତମ। ଶ୍ରୀକୃଷ୍ଣଙ୍କ ଭଳି ରାମ ନବମୀରେ ରାମଙ୍କୁ ମଧ୍ୟ ଜଗନ୍ନାଥ ଜନ୍ମ ଦେଇଥାନ୍ତି। ପ୍ରତିନିଧିମାନେ ଯେପରି ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ଅର୍ଥାତ୍‌ ଆଦେଶ ନେଇ ଜଗତ ମଙ୍ଗଳ ପାଇଁ ବିଭିନ୍ନ କାର୍ଯ୍ୟ କରିଥାନ୍ତି ସେହିପରି ରାମଚନ୍ଦ୍ର ମଧ୍ୟ ଆଜ୍ଞାମାଳ ନେଇ ବିଭିନ୍ନ ନୀତିରେ ସାମିଲ ହୁଅନ୍ତି। ପ୍ରାୟ ୬୫୦ବର୍ଷ ତଳେ ଗଙ୍ଗବଂଶ ଶାସନ କାଳରେ ଶ୍ରୀକ୍ଷେତ୍ରରେ ରାମଙ୍କ ଲୀଳାକୁ ନେଇ ସାହିଯାତ ପ୍ରଚଳିତ ହୋଇଥିଲା। ସେତିକି ବେଳେ ରାମ, ଲକ୍ଷ୍ମଣ ଓ ସୀତା ସାହିଯାତରେ ସମ୍ପୃକ୍ତ ହୋଇଥିଲେ। ଏହି ବିଗ୍ରହମାନେ ଶ୍ରୀମନ୍ଦିର ଦକ୍ଷିଣୀ ଘରେ ଅନ୍ୟ ପ୍ରତିନିଧିଙ୍କ ପରି ପୂଜା ପାଇଥାନ୍ତି। ନିର୍ଦ୍ଦିଷ୍ଟ ତିଥିରେ ଜଗନ୍ନାଥଙ୍କ ଆଦେଶକ୍ରମେ ରାମଚନ୍ଦ୍ର ଚନ୍ଦନଯାତ୍ରା, ସାହିଯାତ, ରଥଯାତ୍ରା ପ୍ରଭୃତିରେ ସାମିଲ ହୋଇଥାନ୍ତି। ଏହାର ପ୍ରାୟ ୧୫୦ବର୍ଷ ପରେ ରାମଙ୍କ ଉପାସକ ଶ୍ରୀରାମାନନ୍ଦ ଆଚାର୍ଯ୍ୟ ଶ୍ରୀକ୍ଷେତ୍ରକୁ ଆସିବା ପରେ ରତ୍ନବେଦୀରେ ପୂଜିତ ତିନିବିଗ୍ରହଙ୍କୁ ରାମ, ଲକ୍ଷ୍ମଣ ଓ ସୀତା ରୂପେ ଗ୍ରହଣ କରିଥିଲେ। ତାଙ୍କର ଏହି ଆସ୍ଥା ଓ ବିଶ୍ୱାସକୁ ନେଇ ପୁରୀରେ ପ୍ରାୟ ୧୮ଟି ମଠ ଗଢ଼ି ଉଠିଥିଲା। ସେତିକିବେଳେ ରାମ ଉପାସନାର ଯଥେଷ୍ଟ ବିକାଶ ଘଟିଥିଲା।

ପ୍ରାଚୀନ କାଳରୁ ଓଡ଼ିଶାର ଇଷ୍ଟ ଏବଂ ସର୍ବପୂଜ୍ୟ ଭାବେ ଜଗନ୍ନାଥ ଗୃହିତ ହୋଇଥିବାରୁ ଅନ୍ୟ ଦେବଦେବୀଙ୍କ ପୂଜା ଏତେଟା ପ୍ରଚାର ପ୍ରସାର ଲାଭ କରି ନ ଥିଲା। ଜଗତ୍‌ଗୁରୁ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ଉଦ୍ୟମରେ ପଞ୍ଚଦେବତା(ଗଣପତି, ସୂର୍ଯ୍ୟ, ନାରାୟଣ, ଅମ୍ବିକା ଓ ରୁଦ୍ର)ଙ୍କ ପୂଜା ଘରେ ଘରେ ପ୍ରସାରିତ ହେଲା। କିନ୍ତୁ ରାମଙ୍କ ପୂଜା ସାଧାରଣତଃ ଓଡ଼ିଶାର ଗାଁ ଗହଳିରେ କିମ୍ବା ସହରଗୁଡ଼ିକରେ ପୂର୍ବରୁ ବିଶେଷ ଭାବେ ନ ଥିଲା।

ଏପରି କି ଓଡ଼ିଶାର ବ୍ରାହ୍ମଣ ଶାସନଗୁଡ଼ିକରେ ଯେପରି ଶିବ ଏବଂ ଦେବୀଙ୍କର ମନ୍ଦିର ରହୁଥିଲା ସେପରି ରାମଙ୍କ ଦେଖିବାକୁ ମିଳେ ନାହିଁ। ଶ୍ରୀରାମାନନ୍ଦ ଆଚାର୍ଯ୍ୟ ଆସିବା ପରେ ଏହି ପୂଜାର ପ୍ରଚାର ପ୍ରସାର ହୋଇଥିଲେ ମଧ୍ୟ ଆଜି ବି ମୁକ୍ତିମଣ୍ଡପ ସମ୍ପୃକ୍ତ ଶାସନ କରବାଡ଼ ଗାଁଗୁଡ଼ିକରେ ରାମଙ୍କ ପୂଜାର୍ଚ୍ଚନା ହୁଏ ନାହିଁ। ଠିକ୍‌ ଯେଉଁଭଳି କୃଷ୍ଣଙ୍କ ପୂଜା ନ ହୋଇ ଗୋପୀନାଥଙ୍କ ପୂଜା ଗାଁଗୁଡ଼ିକରେ ପ୍ରଚଳିତ ଅଛି।

ଏସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି, ସତ୍ୟ ଯୁଗରେ ଦାରୁବ୍ରହ୍ମ ରୂପରେ ଜଗନ୍ନାଥ ଆବିର୍ଭୂତ ହୋଇଥିଲେ। ମହାପ୍ରଭୁ ହେଉଛନ୍ତି ଅବତାରୀ। ସମସ୍ତ ଅବତାର ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରି ଜଗତରେ ଲୀଳା କରି ପୁଣି ତାଙ୍କରି ଅଙ୍ଗରେ ଲୀନ ହୁଅନ୍ତି।

ଏଥିରୁ ବୁଝାପଡ଼ୁଛି ଯେ, ଜଗନ୍ନାଥ ସଂସ୍କୃତିରେ ରାମ, ଲକ୍ଷ୍ମଣ ଓ ସୀତାଙ୍କ ପୁରାତନ ସମ୍ପର୍କ ନ ଥିଲା। ସେଥିପାଇଁ ଜଗନ୍ନାଥଙ୍କୁ ଅବତାରୀ ରୂପେ ଏହି ଜାତି ଦେଖି ଆସିଛି। ପରବର୍ତ୍ତୀ ସମୟରେ ବିଭିନ୍ନ ଚିନ୍ତାଧାରାର ମେଳ ହେବା ପରେ ଜଗନ୍ନାଥଙ୍କୁ ରାମ, କୃଷ୍ଣ ଇତ୍ୟାଦିଙ୍କ ସହ ଯୋଡ଼ିବାର ପ୍ରୟାସ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri