ଥୁଆମୂଳ ରାମପୁର,୧୮।୧୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଥୁଆମୂଳ ରାମପୁର-ମହୁଲପାଟଣା ମୁଖ୍ୟ ରାସ୍ତାର କୋଷାବରା ଗ୍ରାମ ନିକଟସ୍ଥ ଗୋଦରାମସ୍କା ମଶାଣି ବୁଲାଣିଠାରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପ୍ରତିଭାବାନ ଯୁବ ଆଇନଜୀବୀଙ୍କର ଅକାଳ ବିୟୋଗ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବାଗଡିଆଣି ଗ୍ରାମର ଯୁବ ଆଇନଜୀବୀ ତୁଳସୀରାମ ମାଝୀ (୨୪) ଏବଂ ତାଙ୍କ ଭାଇ ହଳଧର ମାଝୀ ଗତକାଲି ସିଜିମାଳୀ ଅଞ୍ଚଳରେ ରାତ୍ରିଯାପନ କରି ଆଜି ଅପରାହ୍ନରେ ଥୁଆମୂଳ ରାମପୁରରୁ ନିଜ ଗ୍ରାମ ଅଭିମୁଖେ ଫେରୁଥିଲେ। ଏହି ସମୟରେ ବିପରୀତ ଦିଗରୁ ବିରିକୋଟ ଗ୍ରାମର ବାଲେଶ୍ୱର ନାଏକ ନିଜ ବାଇକ୍ ଯୋଗେ ଥୁଆମୂଳ ରାମପୁର ଆଡ଼କୁ ଆସୁଥିଲେ। କୋଷାବରା ଗ୍ରାମର ତେନ୍ତୁଳି ଗଛ ନିକଟସ୍ଥ ମଶାଣି ବୁଲାଣି ପାଖରେ ଉଭୟ ବାଇକ୍ ମଧ୍ୟରେ ଭୟଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତୁଳସୀରାମ ମାଝୀଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଗୁରୁତର ଆହତ ହଳଧର ମାଝୀ ଏବଂ ବାଲେଶ୍ୱର ନାଏକ ଚିକିତ୍ସିତ ହେଉଥିବା ବେଳେ ବାଲେଶ୍ୱରଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ ଯେ, ମୃତ ତୁଳସୀରାମ ମାଝୀ ପୂର୍ବତନ ଜିଲା ପରିଷଦ ସଭ୍ୟା ସରୋଜିନୀ ମାଝୀ ଏବଂ ବିଶିଷ୍ଟ ଆଦିବାସୀ ନେତା ମହେନ୍ଦ୍ର ମାଝୀଙ୍କ ସାନପୁଅ ଅଟନ୍ତି। ଜଣେ ଉଚ୍ଚଶିକ୍ଷିତ ତଥା କାର୍ଯ୍ୟରତ ଆଇନଜୀବୀ ହେବା ସହ ସେ ଜଣେ ଜଣାଶୁଣା ବ୍ଲଗର୍ ମଧ୍ୟ ଥିଲେ। ବ୍ଲଗିଂ ମାଧ୍ୟମରେ ସେ ଅଞ୍ଚଳର କଳା, ସଂସ୍କୃତି, ପରମ୍ପରା ଏବଂ ଅନାଲୋଚିତ ଜଳପ୍ରପାତଗୁଡ଼ିକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଏଭଳି ଅକାଳ ବିୟୋଗରେ ସମଗ୍ର ଥୁଆମୂଳ ରାମପୁର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଥୁଆମୂଳ ରାମପୁର ଥାନା ଆଇଆଇସି ପ୍ରଶାନ୍ତ କୋଳାହରଷଙ୍କ ସୂଚନା ଅନୁଯାୟୀ, ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

