ୟୁପିରେ ଧନବର୍ଷା: ଦୁଇ ଦିନ ଭିତରେ ରାମ ମନ୍ଦିରକୁ ଦାନ ହେଲାଣି ୩.୧୭କୋଟି ଟଙ୍କା

ଅଯୋଧ୍ୟା,୨୪।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅର୍ଥବ୍ୟବସ୍ଥାରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ତେଣୁ ଆଗାମୀ ସମୟରେ ସହ ଜଡ଼ିତ ଅର୍ଥବ୍ୟବସ୍ଥାର ବଡ ବିସ୍ତାର ହେବାର ସମ୍ଭାବନା ରହିଛି। ଦେଶର ବ୍ୟବସାୟୀ ସଙ୍ଘ କନଫେଡେରସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଅନୁଯାୟୀ, ରାମ ମନ୍ଦିରପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ପ୍ରାୟ ୧.୨୫ କୋଟି ଟଙ୍କାର ବଡ଼ କାରବାର ହୋଇଛି। ଏଥିରେ କେବଳ ଦିଲ୍ଲୀରେ ପ୍ରାୟ ୨୫ ହଜାର କୋଟି ତଥା ଉତ୍ତର ପ୍ରଦେଶରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ ଏବଂ ସେବା ଦ୍ବାରା ବେପାର ହୋଇଛି।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ପ୍ରାଣ ପ୍ରତିଷ୍ଠାର ଦୁଇ ଦିନ ଭିତରେ ମନ୍ଦିରକୁ ୩.୧୭କୋଟି ଟଙ୍କାର ଦାନ ମିଳିଛି। ଏହିସବୁ ଉଦ୍‌ଘାଟନୀରେ ଆସିଥିବା ଅତିଥିମାନେ ଦେଇଛନ୍ତି। ଏହାବାଦ୍‌ ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଲୋକ ମନ୍ଦିରକୁ ପ୍ରାୟ ୧୦ଲକ୍ଷ ଟଙ୍କାର ନୈବେଦ୍ୟ ଚଢାଇଛନ୍ତି।

ନିକଟରେ ଏସବିଆଇ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଏକ ରିପୋର୍ଟନୁସାରେ ରାମ ମନ୍ଦିର ଓ ଅନ୍ୟ ପର୍ଯ୍ୟଟନ ଯୋଗୁ ୟୁପିରେ ୨୦୨୪-୨୫ରେ ୨୫ହଜାର କୋଟି ଟଙ୍କାର ଟିକସ ଆଦାୟ ହେବାର ଅନୁମାନ କରାଯାଉଛି। ଏଥିରେ ଅଯୋଧ୍ୟା ସବୁଠୁ ବଡ କାରଣ ହୋଇଛି।

ତେବେ ଦୁନିଆରେ ଥିବା ଅନ୍ୟ ଲୋକପ୍ରିୟ ଧାର୍ମିକ ସ୍ଥଳରେ ପର୍ଯ୍ୟଟକ ଆସିବା ଯୋଗୁ କେତେ ଆୟ ହେଉଛି ଆସନ୍ତୁ ଜାଣିବା। ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରକୁ ବର୍ଷକୁ ପ୍ରାୟ ୨.୫କୋଟି ଲୋକ ଆସୁଥିବାବେଳେ ବାର୍ଷିକ ୧୨୦୦କୋଟି ଆୟ ହୋଇଥାଏ। ଜମ୍ମୁ କଶ୍ମୀରର ବୈଷ୍ଣୋ ଦେବୀ ମନ୍ଦିରକୁ ୮୦ଲକ୍ଷ ଲୋକ ଆସୁଥିବାବେଳେ ପର୍ଯ୍ୟଟକଙ୍କ ଯୋଗୁ ୫୦୦କୋଟି ଟଙ୍କା ଆୟ ହୋଇଥାଏ। ୟୁପି ଆଗ୍ରାର ତାଜ ମହଲକୁ ଦେଖିବାକୁ ୭୦ଲକ୍ଷ ଲୋକ ଆସୁଥିବାବେଳେ ୧୦୦କୋଟି ଟଙ୍କା ଆୟ ହୋଇଥାଏ। ଭାଟିକାନ ସିଟିକୁ ୯୦ଲକ୍ଷ ପର୍ଯ୍ୟଟକ ଆସୁଥିବାବେଳେ ୩୧୫ ମିଲିୟନ ଡଲାର ଆୟ ହୋଇଥାଏ। ସାଉଦି ଆରବର ମକ୍କାକୁ ୨କୋଟି ଲୋକ ଆସୁଥିବାବେଳେ ୧୨ବିଲିୟନ ଡଲାର ଆୟ ହୋଇଥାଏ।

 

Share