Categories: ଖେଳ

ଶୈଳେଶଙ୍କ ଶତକ, ଆଜାଦ୍‌ଙ୍କୁ ୬ ଉଇକେଟ

ଭୁବନେଶ୍ୱର, ୬ା୬ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ୧୬ ବର୍ଷରୁ କମ୍‌ ଆନ୍ତଃଜିଲା ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟରେ ସୋମବାର ଭୁବନେଶ୍ୱର ‘ଏ’, ସମ୍ବଲପୁର, କୋରାପୁଟ, ନୟାଗଡ଼, ବାଲେଶ୍ୱର ଓ ଢେଙ୍କାନାଳ ସେମାନଙ୍କ ମ୍ୟାଚରେ ବିଜୟୀ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ଟାଉନ୍‌ କ୍ଲବ ଗ୍ରାଉଣ୍ଡରେ ଭୁବନେଶ୍ୱର ‘ଏ’ ୧୩୫ ରନରେ ରାଉରକେଲାକୁ ପରାସ୍ତ କରିଛି। ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା ଭୁବନେଶ୍ୱର ୪୮.୩ ଓଭରରେ ୨୩୬ ରନ କରିି ଅଲଆଉଟ ହୋଇଯାଇଥିଲା। ଜୀବନ ଜେ. ୫୧, ସ୍ବାଗତ ମିଶ୍ର ୪୯, ଏସ୍‌କେ ନକିବ୍‌ ସାର୍ବର ୩୧ ରନ କରିଥିଲେ। ବିପକ୍ଷ ଦଳର ଏନ୍‌. ପଓ୍ବନ ସାଇ ୩ ଏବଂ ରେହାନ ଖାଁ ୨ ଉଇକେଟ ଅକ୍ତିଆର କରିଥିଲେ। କଟକସ୍ଥିତ ରେଭନେ୍‌ଶା ଗ୍ରାଉଣ୍ଡ-୨ରେ ଦେବଗଡ଼ ବିପକ୍ଷରେ ସମ୍ବଲପୁର ୧୦ ଉଇକେଟରେ ବିପୁଳ ବିଜୟ ହାସଲ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦେବଗଡ଼ ଦଳ ୧୪.୪ ଓଭରରେ ମାତ୍ର ୪୫ ରନ କରି ଅଲଆଉଟ ହୋଇଯାଇଥିଲା। ଦଳ ପକ୍ଷରୁ ସ୍ବସ୍ତିକ ସର୍ବାଧିକ ୨୪ରନ କରିଥିଲେ। ବିପକ୍ଷ ଦଳର ମହମ୍ମଦ ଏଫ୍‌ ଆଜାଦ ମାତ୍ର ୧୩ ରନ ବିନିମୟରେ ୬ଉଇକେଟ ଅକ୍ତିଆର କରିଥିବା ବେଳେ ଶେଖ ତନବୀର ୧୯ ରନ ଦେଇ ୩ଟି ଉଇକେଟ ନେଇଥିଲେ। ଜବାବରେ ସମ୍ବଲପୁର ୬.୩ ଓଭରରେ ବିନାକୌଣସି ଉଇକେଟରେ ୪୯ ରନ କରି ମ୍ୟାଚ ଜିତି ନେଇଥିଲା। ଦଳ ପକ୍ଷରୁ ଶିବମ ସ୍ବରୂପ ୧୬ ଓ ଶିବ ବାଲାଜୀ ୧୧ ରନ କରି ଅପରାଜିତ ରହିଥିଲେ। ସନ୍‌ସାଇନ ଗ୍ରାଉଣ୍ଡରେ କୋରାପୁଟ ୩୧୮ରନରେ ବୈଦ୍ଧକୁ ପରାସ୍ତ କରିଛି। ଏଥିରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋରାପୁଟ ଏମ୍‌. ଶୈଳେଶଙ୍କ ୧୧୪ (୫୭ବଲ୍‌) ଓ ସୁମନ ପାଣିଗ୍ରାହୀଙ୍କ ୯୬ (୧୦୦ବଲ୍‌) ରନ ସହାୟତାରେ ୪୪.୩ ଓଭରରେ ୩୭୧ ରନ କରିଥିଲା। ଅନ୍ୟତମ ସଫଳ ବ୍ୟାଟର ଚିଣ୍ଟୁ କାରିଙ୍ଗି ୪୫ ରନ କରିଥିଲେ। ଓମ୍‌ ପ୍ରଧାନ ଓ ଅନୁରାଗ ତ୍ରିପାଠୀ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ବୌଦ୍ଧ ୮.୪ ଓଭରରେ ମାତ୍ର ୫୩ରନରେ ଅଲଆଉଟ ହୋଇଯାଇଥିଲା। କୋରାପୁଟ ଦଳର ଏସ୍‌. ଶାହା ୪ ଓ ଏମ୍‌. ଶୈଳେଶ ୩ ଉଇକେଟ ହାସଲ କରିଥିଲେ।
ବିଡ଼ାନାସୀ ଗ୍ରାଉଣ୍ଡରେ କିଟ୍‌ ବିପକ୍ଷରେ ନୟାଗଡ଼ ୨ ଉଇକେଟରେ ବିଜୟ ଲାଭ କରିଛି। ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା କିଟ୍‌ ୨୨.୨ ଓଭରରେ ୧୨୫ ରନ କରି ଅଲଆଉଟ ହୋଇଥିଲା। ଟପ୍‌ ସ୍କୋରର ହରେକୃଷ୍ଣ ୪୪ ରନ କରିଥିଲେ। ବିପକ୍ଷ ଦଳର ଶୁଭମ ସେଠୀ ୩ ଓ ଆଦିତ୍ୟ ପ୍ରଧାନ ୨ ଉଇକେଟ ନେଇଥିଲେ। ଜବାବରେ ନୟାଗଡ଼ ୨୨.୪ ଓଭରରେ ୮ଉଇକେଟ ବିନିମୟରେ ୧୨୭ ରନ କରି ମ୍ୟାଚ ଜିତି ନେଇଥିଲା। କବୀର ଜେନା ୪୯ ଓ ସୁହେଲ୍‌ ଆବାସ ୨୮ ରନ କରିଥିଲେ। କିଟ୍‌ ଦଳର ଜଗଦୀଶ ବାର୍‌ ୪ଟି ଏବଂ ରାଜେଶ ବିଶ୍ୱାଳ ୨ଟି ଉଇକେଟ ନେଇଥିଲେ। ସେହିପରି ନିମପୁର ଗ୍ରାଉଣ୍ଡରେ ବାଲେଶ୍ୱର ୧୪୪ ରନରେ ଭଦ୍ରକକୁ ପରାସ୍ତ କରିଛି। ଅଡ଼ଶପୁର ଗ୍ରାଉଣ୍ଡରେ ରାୟଗଡ଼ା ବିପକ୍ଷରେ ଢେଙ୍କାନାଳ ୨୭ ରନରେ ବିଜୟ ଲାଭ କରିଛି।

Share