ରାଜ୍ୟ ସଭା ପ୍ରାର୍ଥୀ ଘୋଷଣା: ନବୀନଙ୍କୁ କୃତଜ୍ଞତା ଜଣାଇ ସବୁ ଦଳ ଠାରୁ ସମର୍ଥନ ଆଶା…

ଭୁବନେଶ୍ୱର, ୨୮।୨: ରାଜ୍ୟ ସଭା ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଡା. ଦତ୍ତେଶ୍ବର ହୋତାଙ୍କ ନାମ ଘୋଷଣା କରିଛନ୍ତି। ଏ ନେଇ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଡା. ହୋତା। ସେ କହିଛନ୍ତି ସବୁ ଦଳ ଠାରୁ ସମର୍ଥନ ପାଇବାକୁ ଆଶା ରଖିଛି।ଅନ୍ୟପକ୍ଷେ, ରାଜ୍ୟ ସଭା ପ୍ରାର୍ଥୀ ହେବା ପରେ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି ସଂତୃପ୍ତ ମିଶ୍ର। ମୋତେ ମିଳିଥିବା ଗୁରୁ ଦାୟିତ୍ୱ ସମ୍ପାଦନ କରିବି ବୋଲି ସେ କହିଛନ୍ତି।

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ। ସଂତୃପ୍ତ ତୃତୀୟ ଓ ଦତ୍ତେଶ୍ୱର ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।

 

ଡାକ୍ତର ଦତ୍ତେଶ୍ୱର ହୋତା ହେଉଛନ୍ତି ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି। ଏସ୍‌ସିବି ମେଡିକାଲର ୟୁରୋଲୋଜି ବିଭାଗର ମୁଖ୍ୟ ଥିଲେ ଦତ୍ତେଶ୍ୱର। ସେ ଏସ୍‌ସିବି ମେଡିକାଲ କଲେଜର ଡିନ୍‌ ଓ ପ୍ରିନ୍ସିପାଲ ଥିଲେ। କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ, ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ ପ୍ରତିଷ୍ଠାରେ ତାଙ୍କର ଅବଦାନ ବହୁତ ରହିଛି।

 

ସେହିପରି ସଂତୃପ୍ତ ମିଶ୍ର ୧୯୯୪ରେ ହିନ୍ଦୁସ୍ତାନ ଇଉନି ଲିଭର୍‌ରେ ଯୋଗ ଦେଇଥିଲେ। ୧୯୯୬ରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ନିର୍ଦ୍ଦେଶକ ଭାବରେ ଯୋଗ ଦେଇଥିଲେ।  ଚାକିରିରୁ ସ୍ବେଚ୍ଛାକୃତ ଭାବରେ ଅବସର ନେଇ ୨୦୨୪ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ସେ କାର୍ବନ ବ୍ଲାକର ଜଣେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଭାବରେ କାର୍ଯ୍ୟ କରୁଛନ୍ତି । ସେ କଟକ ଲୋକ ସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ, ମାତ୍ର ଏଥିରେ ୫୭,୦୭୭ ଖଣ୍ଡ ଭୋଟ୍‌ରେ ଭାଜପାର ଭର୍ତ୍ତୃହରି ମହତାବଙ୍କଠାରୁ ପରାସ୍ତ ହୋଇଥିଲେ।

Share