ଭୁବନେଶ୍ୱର,୩।୩: ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ଜଣେ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛି । ସେପଟେ ଆଜି ଭାଜପା ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ କୁମାରଙ୍କ ନାମ ମଧ୍ୟ ଘୋଷଣା କରିଛି । ଏସବୁ ଭିତରେ ଦିଲୀପ ରାୟ ବଡ଼ ଘୋଷଣା କରିଛନ୍ତି।
ସ୍ୱାଧୀନ ପ୍ରାର୍ଥୀ ହେବା ନେଇ ବରିଷ୍ଠ ନେତା ଦିଲୀପ ରାୟ ଘୋଷଣା କରିଛନ୍ତି। ସେ ୫ ତାରିଖରେ ନାମାଙ୍କନ ଭରିପାରନ୍ତି। ତେବେ ଦିଲୀପଙ୍କୁ ସମର୍ଥନ କରିବା ନେଇ ଭାଜପା ଘୋଷଣା କରିଛି। ଭାଜପା ପାର୍ଟି ଅଫିସରେ ସାମ୍ୱାଦିକ ସମ୍ମିଳନୀ କରି ମନମୋହନ ସାମଲ କହିଛନ୍ତି, ଦିଲୀପଙ୍କୁ ଭାଜପା ଓଡ଼ିଶା ପ୍ରଦେଶ ପକ୍ଷରୁ ଆମେ ତାଙ୍କୁ ସମର୍ଥନ କରିବୁ। ଦଳ ନୀତିଗତ ଭାବେ ଦିଲୀପ ରାୟଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ହୋଇଛି । ଦିଲୀପ ନିଜେ ଉଦ୍ୟମ କରିବେ, ଦଳ ମଧ୍ୟ ପୂରା ସମର୍ଥନ ଦେବ। ଦିଲ୍ଲୀପ ନିଶ୍ଚିତ ବିଜୟୀ ହେବେ ବୋଲି ସାମଲ କହିଛନ୍ତି।
ଏନେଇ ଦିଲୀପ କହିଛନ୍ତି, ମୁଁ ଏନେଇ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା କରିଛି। ମୁଁ ୫ ତାରିଖ ଦିନ ସ୍ୱାଧୀନ ଭାବେ ନୋମିନସନ୍ ଫାଇଲ୍ କରିବି। ଆଗରୁ କାହା ସହ କିଛି କଥା ହୋଇନ ଥିଲି । ମୁଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ କଥା ହୋଇଛି । ଏପରିକି ଅମିତ ଶାହଙ୍କ ସହ ମଧ୍ୟ କଥା ହୋଇଛି । କଣ ହେବ କଣ ନାହିଁ ଏବେ କିଛି କହି ପାରିବିନି, ଦୁଇ ୪ ଦିନ ସମୟ ଦେଲେ ସବୁ କହିବି ।
ମୁଁ ହଠାତ୍ ନିଷ୍ପତ୍ତି ନେଲି ଛିଡ଼ା ହେବା ପାଇଁ । ଦେଶ ସେବା କରିବା ପାଇଁ ଟିକେ ଇଚ୍ଛା ହେଲା, ସେଥି ପାଇଁ ଛିଡ଼ା ହେବା ପାଇଁ ନିଷ୍ପତ୍ତି ନେଲି। ହଁ ମୁଁ ନବୀନ ବାବୁଙ୍କୁ ଭେଟିବି । ତାଙ୍କୁ ବି ସହଯୋଗ ମାଗିବି । ସବୁ ଦଳ ସହ ଯୋଗାଯୋଗ କରିବି ମତେ ସାହାଯ୍ୟ କରିବା ପାଇଁ । ସମ୍ପର୍କ ସମସ୍ତଙ୍କ ସହ ଅଛି, ସମସ୍ତଙ୍କୁ ଭୋଟ୍ ଭିକ୍ଷା କରିବି ।
ଦିଲୀପଙ୍କୁ ନେଇ ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭା ନିର୍ୱାଚନରେ ହେବ ଓଲଟପାଲଟ!

