ପ୍ରାଚୀନ ନୌବାଣିଜ୍ୟ ଇତିହାସକୁ ଉଜ୍ଜୀବିତ କରୁଛି ରାଜନଗର ବାଲିଯାତ୍ରା: ହାଇସ୍କୁଲ ପଡ଼ିଆରେ ରଙ୍ଗାରଙ୍ଗ ଉଦ୍‌ଘାଟନ, ଡିସେମ୍ବର ୧ ପର୍ଯ୍ୟନ୍ତ

ପାଟଣା, ୨୬।୧୧(ବୀର କିଶୋର ଦାଶ): ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାଧବ ପୁଅଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗରଠାରେ ବାଲିଯାତ୍ରା ମହୋତ୍ସବ ବୁଧବାର ରାତିରେ ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏହି ଯାତ୍ରାକୁ ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଏହି ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜନଗର ସରପଞ୍ଚ ସୁଧାଂଶୁ ଶେଖର ନାଏକ, କେନ୍ଦେଇପଶି ମଣ୍ଡଳ ଭାଜପା ସଭାପତି ଜୁଲିୟସ ସିଂ, ବାଲିଯାତ୍ରା କମିଟି ସଭାପତି ତୃପ୍ତିରଞ୍ଜନ ସିଂହ ଏବଂ ସମ୍ପାଦକ ବସନ୍ତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

ସମାରୋହରେ ମୁଖ୍ୟ ଅତିଥି ନାଏକ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ। ସାଧବ ପୁଅଙ୍କ ସାହସିକତା, ବାଣିଜ୍ୟିକ ଦକ୍ଷତା ଏବଂ ଓଡ଼ିଆ ଜାତିର ଗୌରବମୟ ଇତିହାସ ସମ୍ପର୍କରେ ସେ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ। ଉଦ୍‌ଘାଟନୀ ସମାରୋହ ପରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଭାଷ୍ୟକାର ସଚ୍ଚିଦାନନ୍ଦ ମହାକୁଡ଼ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ।

ଆସନ୍ତା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି ବାଲିଯାତ୍ରା ଚାଲିବ। ଯାତ୍ରା ପଡ଼ିଆରେ ମୀନାବଜାର, ବିଭିନ୍ନ ପ୍ରକାରର ଚଟପଟି ଖାଦ୍ୟ ଷ୍ଟଲ୍ ଓ ଦୋଳିର ବ୍ୟବସ୍ଥା କରାଯାଇଥିବାରୁ ସନ୍ଧ୍ୟା ହେଲେ ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ନିମନ୍ତେ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Dharitri – Odisha’s No.1 Odia Daily

Share