ରାଜ୍‌ଗୋପାଳ ମିଶ୍ର ପାଇବେ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’

ଭୁବନେଶ୍ୱର(ବ୍ୟୁରୋ),୨ା୯: ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତର ମହାକୁମ୍ଭ ‘ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୨୦’ ସେପ୍ଟେମ୍ବର ୫ରୁ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଉତ୍ସବକୁ ଚଳିତବର୍ଷ କୋଭିଡ୍‌-୧୯ କଟକଣା ଲାଗି ଡିଜିଟାଲ ପ୍ଲାଟ୍‌ଫର୍ମରେ କରାଯିବ। ଚଳିତବର୍ଷ ବିଶିଷ୍ଟ ସିନେମାଟୋଗ୍ରାଫର୍‌ ରାଜ୍‌ ଗୋପାଳ ମିଶ୍ରଙ୍କୁ ସମ୍ମାନଜନକ ‘ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର’ ପ୍ରଦାନ କରାଯିବ। ପୁରସ୍କାର ସ୍ବରୂପ ତାଙ୍କୁ ୧ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବ। ସେହିଭଳି ୨ଜଣ ଯୁବ କଳାକାରଙ୍କୁ ‘ଗୁରୁ କେଳୁଚରଣ ମହାପାତ୍ର ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବ। ଓଡ଼ିଶୀ ନୃତ୍ୟକ୍ଷେତ୍ରରେ ଯୁବ ନୃତ୍ୟଶିଳ୍ପୀ ପ୍ରଭାତ କୁମାର ସ୍ବାଇଁ ଏବଂ ଓଡ଼ିଶୀ ସଙ୍ଗୀତରେ ହିମାଂଶୁ ଶେଖର ସ୍ବାଇଁଙ୍କୁ ଏହି ସମ୍ମାନ ଦିଆଯିବ। ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ପୁରସ୍କାର ପ୍ରଦାନ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ୨୬ବର୍ଷରେ ପଦାର୍ପଣ କରିଥିବା ଏହି ଉତ୍ସବରେ ଏଥର ଓଡ଼ିଶୀ ନୃତ୍ୟ ସହ ଦେଶର ବିଭିନ୍ନ ପ୍ରାନ୍ତର ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ ଏବଂ ବାଦ୍ୟର ସମାହାର ମୁଖ୍ୟ ଆକର୍ଷଣ ସାଜିବ। ସେହିଭଳି ଫେସ୍‌ବୁକ୍‌ ଲାଇଭ୍‌ ଏବଂ ୟୁଟୁବ୍‌ରେ ପ୍ରସାରିତ ହେବାଦ୍ୱାରା ସମଗ୍ର ବିଶ୍ୱରେ କଳାପ୍ରେମୀମାନେ ଏହାକୁ ଦେଖିବାର ସୁଯୋଗ ପାଇବେ। ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ ବୋଲି ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି।