Categories: ଖେଳ

ତୃତୀୟ ସ୍ଥାନରେ ରାଜସ୍ଥାନ

କୋଲକାତା,୧୨ା୫: ଇଡେନ ଗାର୍ଡେନ୍ସରେ ଆଇପିଏଲ୍‌ର ୫୬ ତମ ମ୍ୟାଚରେ ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ଓ ଯଶସ୍ବୀ ଜୟସ୍ବାଲଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ରାଜସ୍ଥାନ ରୟାଲ୍ସ ୯ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ୧୨ତମ ମ୍ୟାଚରୁ ଷଷ୍ଠ ବିଜୟ ସହ ଦଳ ପଏଣ୍ଟ ଟେବଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି।

ପ୍ରଥମେ ବ୍ୟାଟିଂ କରିଥିବା କେକେଆର ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୪୯ ରନ୍‌ କରିଥିଲା। ଜବାବରେ ରାଜସ୍ଥାନ ୧୩.୧ ଓଭରରେ ୧ ଉଇକେଟ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ପାଇଁ ବ୍ୟାଟିଂ ଆରମ୍ଭ କରିଥିବା ରାଜସ୍ଥାନ ପକ୍ଷରୁ ଯଶସ୍ବୀ ଜୟସ୍ବାଲ ୯୮ ଓ ସଞ୍ଜୁ ସାମସନ୍‌ ୪୮ ରନ୍‌ ସ୍କୋର କରିଥିଲେ। ୧୩ ବଲ୍‌ରୁ ୫୦ ରନ୍‌ ପୂରଣ କରିଥିବା ଜୟସ୍ବାଲଙ୍କ ଇନିଂସରେ ୧୩ ଚୌକା ଓ ୫ ଛକା ସାମିଲ ରହିଥିଲା। ଅନ୍ୟ ପକ୍ଷେ ଅଧିନାୟକ ସାମ୍‌ସନ୍‌ ୨୯ ବଲ୍‌ ଖେଳି ୨ଚୌକା ଓ ୫ ଛକା ମାରିଥିଲେ। ଜୟସ୍ବାଲ ଓ ଜୋଶ ବଟଲର ଇନିଂସ ଓପନ କରିଥିବା ବେଳେ ପ୍ରଥମ ଓଭରରେ ଜୟସ୍ବାଲ ୨୬ ରନ୍‌ କରି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ବଟଲର ଖାତା ଖୋଲିବା ପୂର୍ବରୁ ରନ୍‌ ଆଉଟ ହୋଇଥିଲେ। ସାମସନ୍‌ ଓ ଜୟସ୍ବାଲ ୬୯ ବଲ୍‌ରୁ ୧୨୦ ରନ୍‌ ଯୋଡି ଦଳକୁ ଜିତାଇଥିଲେ।

Share