Categories: ଖେଳ

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି ରାଜସ୍ଥାନ ରୟାଲ୍ସ। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୫ ଉଇକେଟ ହରାଇ ୧୮୫ ରନ୍‌ କରିଥିଲା। ଜବାବରେ ଦିଲ୍ଳୀ କ୍ୟାପିଟାଲ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୭୩ ରନ୍‌ କରିଥିଲା।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଡାକରା ପାଇଥିବା ରାଜସ୍ଥାନ ପକ୍ଷରୁ ଜୋଶ ବଟଲର(୧୧) ଓ ଯଶସ୍ବୀ ଜୟସ୍ବାଲ(୫) ଇନିଂସ ଆରମ୍ଭ କରିଥିଲେ। ଅଧିନାୟକ ସଞ୍ଜୁ ସାମସନ୍‌ ମଧ୍ୟ ୧୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଦଳୀୟ ସ୍କୋର ୩୬ରେ ୩ ଟପ୍‌ ଅର୍ଡର ବ୍ୟାଟର ପ୍ୟାଭିଲିୟନ୍‌ ଫେରିଥିଲେ। ତେବେ ବ୍ୟାଟିଂକ୍ରମରେ ପଦୋନ୍ନତି ପାଇଥିବା ରବିଚନ୍ଦ୍ରନ ଅଶ୍ୱିନ ୨୯ ଓ ଇନିଂସର ଟପ୍‌ ସ୍କୋରର ରିୟାନ୍‌ ପରାଗ(୮୪*) ଚମତ୍କାର ବ୍ୟାଟିଂ କରିଥିଲେ। ଅଶ୍ୱିନ ୧୯ ବଲ୍‌ ଖେଳି ୩ ଛକା ସହିତ ୨୯ ରନ୍‌ କରିଥିଲେ। ଧ୍ରୁବ ଜୁରେଲ(୨୦) କ୍ରିଜ୍‌ରେ ଯୋଗ ଦେଇ ରିୟାନ ପରାଗଙ୍କ ସହ ୫୨ ରନ୍‌ ଯୋଡିଥିଲେ।

ସିମରନ୍‌ ହେଟମେୟର(୧୪*) ଓ ପରାଗ ଷଷ୍ଠ ଉଇକେଟରେ ମାତ୍ର ୧୬ ବଲରେ ୪୩ ରନ୍‌ ଯୋଡିଥିଲେ। ପରାଗ ନିଜ ଆଇପିଏଲ କ୍ୟାରିୟରର ତୃତୀୟ ଅର୍ଦ୍ଧଶତକ ସହ ସର୍ବୋଚ୍ଚ ସ୍କୋର ହାସଲ କରିଥିଲେ। ମାତ୍ର ୪୫ ବଲ୍‌ ଖେଳି ସେ ୭ ଚୌକା ଓ ୬ ଛକା ସହ ୮୪ ରନରେ ଅପରାଜିତ ରହିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅକ୍ଷର ପଟେଲ, କୁଲଦୀପ ଯାଦବ, ମୁକେଶ କୁମାର, ଖଲିଲ ଅହମଦ ଓ ଆନରିଚ୍‌ ନର୍ଜେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଦିଲ୍ଲକୀ କ୍ୟାପିଟାଲ୍ସ ଦୃଢ ଭାବରେ ଇନିଂସ ଆରମ୍ଭ କରି ପ୍ରଥମ ଉଇକେଟରେ ୩୦ ରନ୍‌ ଯୋଡିଥିଲା। ଇମ୍ପାକ୍ଟ ପ୍ଲେୟର ଭାବରେ ଆସିଥିବା ନାନ୍ଦ୍ରେ ବର୍ଗର ଦୁଇ ଉଇକେଟ ନେଇଥିଲେ। ଡେଭିଡ୍‌ ଓ୍ବାର୍ନର(୪୯) ଓ ରିଷଭ ପନ୍ତ(୨୮)ଙ୍କ ମଧ୍ୟରେ ୬୭ ରନ୍‌ର ଭାଗୀଦାରି ହୋଇଥିଲା। ଉଭୟ ଖେଳାଳି ଆଉଟ ହେବା ପରେ କ୍ୟାପିଟାଲ ଇନିଂସ ଦିଗହରା ହୋଇ ଯାଇଥିଲା। ଶେଷ ଆଡକୁ ଟ୍ରିଷ୍ଟାନ ଷ୍ଟବ୍ସ ଦ୍ରୁତ ୪୪ ରନ୍‌ କରିଥିଲେ ହେଁ ଦଳ ବିଜୟରୁ ୧୨ ରନ୍‌ ଦୂରରେ ରହିଥିଲା। ରୟାଲ୍ସ ପକ୍ଷରୁ ନାନ୍ଦ୍ରେ ବର୍ଗର,ୟୁଜବେନ୍ଦ୍ର ଚହଲ ଦୁଇଟି ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

 

 

Share