ଆସନ୍ତା ୬ରୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର, ୩।୧(ବ୍ୟୁରୋ): ଆସନ୍ତା ୬ରୁ ୨୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ରାଜଭବନ ଉଦ୍ୟାନ ଖୋଲା ରହିବ। ଛୁଟିଦିନ ଓ ରବିବାର ସମେତ ପ୍ରତ୍ୟେକ ଦିନ ଅପରାହ୍ନ ୨ଟା ୩୦ଟାରୁ ୫ଟା ପର୍ଯ୍ୟନ୍ତ ସର୍ବସାଧାରଣ ଏହି ଉଦ୍ୟାନ ପରିଦର୍ଶନ କରିପାରିବେ। କେବଳ ମୋବାଇଲ ଆପ୍‌ ମାଧ୍ୟମରେ ଯେଉଁମାନେ ପଞ୍ଜୀକରଣ କରିଥିବେ, ସେମାନଙ୍କୁ ରାଜଭବନ ଉଦ୍ୟାନକୁ ପ୍ରବେଶ ପାଇଁ ଅନୁମତି ମିଳିବ। ଚଳିତ ବର୍ଷଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଏହି ଉଦ୍ୟାନ ଆପ୍‌କୁ ରାଜଭବନ ଗାର୍ଡେନ ଭିଜିଟ୍‌ ପ୍ଲେ ଷ୍ଟୋରରୁ ଡାଉନଲୋଡ୍‌ କରିବାକୁ ହେବ। ଓଡ଼ିଶା ରାଜଭବନ ୱେବ୍‌ସାଇଟ୍‌ରେ ଥିବା କ୍ୟୁଆର୍‌ କୋଡ୍‌କୁ ମଧ୍ୟ ସ୍କାନ କରି ଆପ୍‌ ଡାଉନଲୋଡ୍‌ କରିହେବ। ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଛାତ୍ରୀଛାତ୍ରମାନେ ସକାଳ ୮ଟା ୩୦ରୁ ୧୦ଟା ଭିତରେ ଉଦ୍ୟାନକୁ ଯାଇପାରିବେ। ସେହିପରି ସ୍କୁଲ କର୍ତ୍ତୃପକ୍ଷ ଅଧିକ ବିବରଣୀ ପାଇଁ www.rajbhavanodisha.gov.in ପରିଦର୍ଶନ କରିପାରିବେ। ଯେଉଁମାନଙ୍କର ସ୍ମାର୍ଟ ଫୋନ୍‌ ନାହିଁ ବା ରେଜିଷ୍ଟ୍ରେଶନ୍‌ କରିବାରେ ଅସୁବିଧାର ସମ୍ମୁଖୀନ ହେବେ, ସେମାନେ ରାଜଭବନ ଫାଟକ ପାଖରେ ସ୍ଥାପିତ କିଓସ୍କର ସହାୟତା ନେଇପାରିବେ। ତେବେ ରାଜଭବନ ପରିସରକୁ ଖାଦ୍ୟଦ୍ରବ୍ୟ ଏବଂ ଅନ୍ୟ ଆପତ୍ତିଜନକ ସାମଗ୍ରୀ ନ ଆଣିବା ସହ ସ୍ବଚ୍ଛତା ଓ ଶୃଙ୍ଖଳା ରକ୍ଷା କରିବାକୁ ରାଜଭବନ ପକ୍ଷରୁ ପରାମର୍ଶ ଦିଆଯାଇଛି।