ପାହାଡ଼ରୁ ମାଡ଼ି ଆସିଲା ବର୍ଷା ପାଣି, ଧସିଲା ପଥର, ଭାସିଗଲା ଘର

ରାଇକିଆ,୨୯ା୧୦(ପ୍ରଦୀପ ବେହେରା): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗେସି ଗ୍ରାମରେ ଏକ ବଡ଼ଧରଣର ବିପର୍ଯ୍ୟୟରୁ ଗ୍ରାମବାସୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ବୁଧବାର ମଧ୍ୟରାତ୍ରିରେ ହୋଇଥିବା ପ୍ରବଳ ବର୍ଷା କାରଣରୁ ପାହାଡ଼ ଉପରୁ ହଠାତ୍ ପାଣି ମାଡ଼ିଆସିଥିଲା। ଏଥିସହ ପାହାଡ଼ ଧସିବା ଯୋଗୁ ବଡ଼ବଡ଼ ପଥରଗୁଡ଼ିକ ଖସି ପଡ଼ିଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଗ୍ରାମର ଛଅ ଜଣଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଗୋଟିଏ ଘର ପାଣିରେ ଭାସି ଯାଇଛି। ପ୍ରବଳ ବର୍ଷା ଓ ଭୟାବହ ପରିସ୍ଥିତି ମଧ୍ୟରେ କିଛି ପରିବାର ଜୀବନ ବିକଳରେ ନିକଟସ୍ଥ ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇଥିଲେ।

ମୋଟ ୧୬ଟି ପରିବାର ବସବାସ କରୁଥିବା ଏହି ଦୁର୍ଗମ ଓ ଅପହଞ୍ଚ ପାହାଡ଼ ତଳ ଅଞ୍ଚଳ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତାଘାଟ ନ ଥିବାରୁ ପ୍ରଭାବିତ ଗ୍ରାମରେ ପ୍ରଶାସନ ପକ୍ଷରୁ ପହଞ୍ଚିବା ବର୍ତ୍ତମାନ କାଠିକର ପାଠ ହୋଇପଡ଼ିଛି।

Dharitri – Odisha’s No.1 Odia Daily

Share