ମାସରେ ୪ ଥର ବର୍ଷାପାଣି ପ୍ରବାହିତ

ଭବାନୀପାଟଣା,୧୦ା୮(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟ ହାଲେର ଜୋର ଆପ୍ରୋଚ୍‌ ପୋଲ ଉପରେ ପୁଣି ଥରେ ପାଣି ଚାଲିଥିବା ଦେଖିବାକୁ ମିଳିଛି। ଗତ ମାସକ ମଧ୍ୟରେ ଏହାକୁ ମିଶାଇ ୪ ଥର ବର୍ଷା ପାଣି ପ୍ରବାହିତ ହୋଇ ସାରିଲାଣି। ପୋଲ ଉପରୁ ପାଣି ବଢୁଥିବା ଦେଖି ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ମଙ୍ଗଳବାର ୧ଟା.୨୦ରୁ ଉକ୍ତ ରାସ୍ତା ବନ୍ଦ କରାଯାଇଛି। ଏହା ଯୋଗୁ ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥ ୧୩୦ ସି ମୁଖ୍ୟ ରାସ୍ତାରେ ଏବେ ଯାତାୟାତ ବନ୍ଦ ରହିଛି। ପ୍ରକାଶ ଯେ, ମଙ୍ଗଳବାର ସକାଳୁ ପୋଲ ଉପରୁ ପାଣି କମିବା ପରେ ଏହି ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇଥିଲା। ତେବେ ଅପରାହ୍ନ ୧ଟା ପରେ ପୁଣି ପାଣି ବଢ଼ି ପୋଲ ଉପରେ ଚାଲିଥିଲା। ଯାହା କି ବର୍ତ୍ତମାନ ବି ଚାଲିଛି। ପ୍ରକାଶ ଯେ, ହାଲେର ଜୋର ଉପରେ ନିର୍ମାଣ ହେଉଥିବା ପୋଲ କାମ ଅଧାପନ୍ତରିଆ ହୋଇଛି। ଫଳରେ ସେଠାରେ ନିର୍ମାଣ କରାଯାଉଥିବା ଆପ୍ରୋଚ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି। ଏହି ସମୟରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।