୧୪ ଯାଏ ବର୍ଷା

ଭୁବନେଶ୍ୱର,୯।୧୦(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ବଙ୍ଗୋପସାଗରରୁ ଜଳୀୟବାଷ୍ପ ଓଡ଼ିଶା ମଧ୍ୟକୁ ଆସୁଥିବାରୁ ଆସନ୍ତା ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ଲାଗି ରହିବ। ବିଶେଷ କରି ଦିନରେ ଅସରାଏ ଲେଖା ବର୍ଷା ହେବ। ଆସନ୍ତା ୧୭ରୁ ୨୦ ତାରିଖ ମଧ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ନେଇ ପାଣିପାଗ ବିଭାଗ ଆକଳନ କରୁଛି। ସ୍ବାଭାବିକ ଭାବେ ଅକ୍ଟୋବର ଦ୍ୱିତୀୟ ସପ୍ତାହ ଅର୍ଥାତ୍‌ ଅକ୍ଟୋବର ୧୦ ତାରିଖ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥାଏ। ମାତ୍ର ଚଳିତ ବର୍ଷ ଏହା ସପ୍ତାହେ ବିଳମ୍ବରେ ପ୍ରତ୍ୟାବର୍ତ୍ତନ କରିପାରେ। ମୌସୁମୀ ପ୍ରତ୍ୟାବର୍ତ୍ତନ ପର୍ବ ଆରମ୍ଭ ହୋଇ ନ ଥିବାରୁ ରାଜ୍ୟରେ ଶୀତ ଅନୁଭୂତ ହୋଇ ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୨ରୁ ୨୫ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛି। ସମୁଦ୍ର ପଟୁ ରାଜ୍ୟକୁ ପ୍ରଚୁର ଜଳୀୟ ବାଷ୍ପ ପ୍ରବେଶ କରିବା ଯୋଗୁ ବାୟୁ ମଣ୍ଡଳରେ ଆର୍ଦ୍ରତା ବଢ଼ିଯାଉଛି। ଏପରି କି କେତେକ ସ୍ଥାନରେ ଆର୍ଦ୍ରତା ୧୦୦ ପ୍ରତିଶତରୁ ଅଧିକ ରହୁଛି। ଏଥିଯୋଗୁ ରାଜ୍ୟରେ ବାୟୁମଣ୍ଡଳ ଉତ୍ତପ୍ତ ରହିବା ସାଙ୍ଗକୁ ତୁହାକୁ ତୁହା ବର୍ଷା ଲାଗି ରହୁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ଟିଟିଲାଗଡ଼, ବରମୂଳ, ସିମିଳିଗୁଡ଼ା, କୋରାପୁଟ, ବଲାଙ୍ଗୀର, ଧରାକୋଟ, ଯୁଯୁମୁରା, ପାରଳାଖେମୁଣ୍ଡି, ପଟାଙ୍ଗୀ, ଟିକରପଡ଼ାରେ ୩ ସେଣ୍ଟିମିଟର ଲେଖାଏ ବର୍ଷା ହୋଇଥିବା ବେଳେ ଡାବୁଗାଁ, ବନ୍ଧୁଗାଁ, ସେରଗଡ଼, କାମାକ୍ଷାନଗର, ପାଇକମାଳ, ବୁର୍ଲା, ସମ୍ବଲପୁର, ବରଗଡ଼, ମୋହନା ଆଦି ସ୍ଥାନରେ ୨ ସେଣ୍ଟିମିଟର ଲେଖାଏ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।