ଭୁବନେଶ୍ୱର,୧ା୮(ଅନୁରାଧା ମହାରଣା)- ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ବର୍ଷା ଜାରି ରହିଛି। ଶୁକ୍ରବାର ପୁରୀରେ ସର୍ବାଧିକ ୨୭.୧ ମିମି ଓ ଭବାନୀପାଟଣାରେ ୧୪.୮ ମିମି ବର୍ଷା ହୋଇଛି। ଏହାବ୍ୟତୀତ ରାଜ୍ୟର କାଁଭାଁ କିଛି ଅଞ୍ଚଳରେ ବର୍ଷା ହୋଇଛି। ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆସନ୍ତା ୫ଦିନ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ବଜ୍ରପାତ ଭୟ ରହିଛି। ଏଥିପାଇଁ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲାକୁ ବିଜୁଳି ଓ ଘଡ଼ଘଡ଼ି ପାଇଁ ୟେଲୋ ଓ୍ବାର୍ନିଂ ରହିଛି। ଏହିସବୁ ଜିଲାର କିଛିି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କି.ମି. ବେଗରେ ପବନ ବହିପାରେ ବୋଲି ସୂଚନା ଦିଆଯାଇଛି।


