ଉପକୂଳରେ ବର୍ଷା, ଦକ୍ଷିଣ ଶୁଖିଲା

ଭୁବନେଶ୍ୱର,୨୪।୭(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଗୁରୁବାର ରାତିରୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲାରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ସୋନପୁର ଜିଲାର ବୀରମହାରାଜପୁରରେ ସର୍ବାଧିକ ୨୦୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀ ଜିଲାର ସତ୍ୟବାଦୀରେ ୧୪୫, ଜଗତ୍‌ସିଂହପୁର ଜିଲାର ଆଳିପିଙ୍ଗଳଠାରେ ୧୩୭.୮ ଓ ବାଲିକୁଦାଠାରେ ୧୩୨, କେନ୍ଦ୍ରାପଡ଼ା ଜିଲାର ଗରଦପୁରଠାରେ ୧୩୬, ପୁରୀ ଜିଲାର ପୁରୀରେ ୧୩୦.୩, ସୋନପୁରରେ ୧୩୦ ଏବଂ କେନ୍ଦ୍ରାପଡ଼ା ଜିଲାର ମାର୍ଶାଘାଇଠାରେ ୧୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ା ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ କିମ୍ବା ଅତି ପ୍ରବଳ ବର୍ଷା ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା ଏବଂ ପୁରୀ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି।
ନିକଟରେ ଲଘୁଚାପ ହୋଇଥିଲେ ମଧ୍ୟ ଏହା ରାଜ୍ୟର ସବୁ ଅଞ୍ଚଳକୁ ଛୁଇଁପାରି ନାହିଁ। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ସେତେଟା ପଡ଼ିନାହିଁ। ଏବେ ବି ୧୭ ଜିଲାରେ ଗଜାମରୁଡ଼ି ଅବସ୍ଥା ଦେଖାଦେଇଛି। ସେହି ଜିଲାଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗୀର, ଭଦ୍ରକ, ଦେବଗଡ଼, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼। ଏହି ସବୁ ଜିଲାରେ ଏବେ ବି ୩୦ରୁ ୫୦ ପ୍ରତିଶତ କମ୍‌ ବର୍ଷା ହୋଇଛି। ତେବେ ଆସନ୍ତା ୨୮ ତାରିଖରେ ବାଂଲାଦେଶ ଉପକୂଳ ଓ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩୦ ତାରିଖ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।