ଭୁବନେଶ୍ୱର,୩୦ା୫(ବନ୍ଦନା ସେଠୀ):କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା ସାମାନ୍ୟ କମ୍ ରହିଛି। ଆସନ୍ତା ୬ଦିନ ଅର୍ଥାତ୍ ଜୁନ୍ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ସେହିପରି ଶନିବାର ସାରା ରାଜ୍ୟରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା ଏବଂ କଳାହାଣ୍ଡି ଜିଲାକୁ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୬୦ ରୁ ୭୦ କି.ମି. ରହିବ। ସେହିପରି ବାକି ଜିଲାଗୁଡିକୁ ବର୍ଷା ପବନ ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କି.ମି. ରହିବ। ରବିବାରଠାରୁ ଗୁରୁବାର ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଝାରସୁଗୁଡା, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଘଡ଼ଘଡ଼ି ସହିତ ବର୍ଷା ପବନ ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।
ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ, ଶୁକ୍ରବାର ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିବାବେଳେ ବଲାଙ୍ଗୀରରେ ସର୍ବାଧିକ ୪୩.୧ ଡିଗ୍ରୀ ତାପମାତ୍ରା ରହିଥିଲା। ସେହିପରି ଟିଟିଲାଗଡ଼ରେ ୪୩ ଡିଗ୍ରୀ, ସମ୍ବଲପୁର ୪୨.୨, ଭବାନୀପାଟଣା ଓ ନୂଆପଡ଼ା ୪୧.୮, ହୀରାକୁଦ ୪୧.୬, ଝାରସୁଗୁଡା ୪୧.୧ ଓ ସୋନପୁର ୪୦.୩ ଡିଗ୍ରୀ ଛୁଇଁଥିବାବେଳେ ଯାଜପୁରରେ ସବୁଠାରୁ କମ୍ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବାଲେଶ୍ୱର ଓ ପୁରୀରେ ୩୩.୮ ଡିଗ୍ରୀ ଓ ଛତ୍ରପୁରରେ ୩୫ ଡିଗ୍ରୀ ତାପମାତ୍ରା ରହିଥିଲା।