ଆଠମଲ୍ଲିକରେ ଝଡ଼ତୋଫାନ

ଆଠମଲ୍ଲିକ,୧୨।୧(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ମଙ୍ଗଳବାର ଅଦିନିଆ ବର୍ଷା ସହ ପ୍ରବଳ ପବନ ଓ କୁଆପଥର ମାଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଝଡ଼ତୋଫାନ ଯୋଗୁ ବଇଣ୍ଡା-ଆଠମଲ୍ଲିକ-କିଆକଟା ୬୨ ନମ୍ବର ରାଜ୍ୟ ରାଜପଥର ଯଦୁପୁରଠାରେ ଗଛ ଓ ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗିପଡ଼ିବାରୁ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଖବରପାଇ ପ୍ରଶାସନ ପକ୍ଷରୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ରାସ୍ତା ଅବରୋଧ ହଟାଯିବା କାର୍ଯ୍ୟ ଜାରି ରହିଛି। ଶୈବପୀଠ ଦେଉଳଝରି ପରିସରରେ ଥିବା ଅନେକ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯାଇଥିବାବେଳେ ଗଛଗୁଡିକ ଉପୁଡି ମନ୍ଦିର ସମ୍ମୁଖ କଂକ୍ରିଟ ରାସ୍ତା ଅବରୋଧ ହୋଇଛି। ଉପଜିଲାପାଳ ଲଳିତ ମୋହନ ବେହେରା ତୁରନ୍ତ ରାସ୍ତାରୁ ଗଛ ଓ ଇଲେକ୍ଟ୍ରି ଖୁଣ୍ଟ ହଟାଇବାକୁ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ସେହିପରି ପ୍ରବଳ କୁଆପଥର ମାଡ଼ ଯୋଗୁ ବହୁ ଆଜବେଷ୍ଟସ୍‌ ଘର କ୍ଷତିଗ୍ରସ୍ତ ହୋଇଛି। ପରିବା ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହେଉଛି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।