ଭୁବନେଶ୍ୱର,୨୫ା୭(ବନ୍ଦନା ସେଠୀ):ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଶୁକ୍ରବାର ସକାଳ ସୁଦ୍ଧା କେନ୍ଦୁଝର ଜିଲା ହାଟଡିହୀଠାରେ ସର୍ବାଧିକ ୧୨୦.୨ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ବାଲେଶ୍ୱର ଜିଲା ବାହାଙ୍ଗାଠାରେ ୮୫ ମି.ମି., ଭୋଗରାଇରେ ୫୮ ମି.ମି., ଓଉପଦାଠାରେ ୫୨ ମି.ମି., କେନ୍ଦୁଝର ଜିଲା ଘଷିପୁରାଠାରେ ୫୧.୩ ମି.ମି., ଆନନ୍ଦପୁରରେ ୫୧ ମି.ମି. ବର୍ଷା ହୋଇଛି। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶନିବାର କଟକ, ଅନୁଗୋଳ, ଢେଙ୍କାନାଳ ଏବଂ କେନ୍ଦୁଝର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।