ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ବିଦ୍ୟୁତ୍ ବିଭ୍ରାଟ ଉପଭୋକ୍ତାଙ୍କୁ ହଇରାଣ ଭୋଗିବାକୁ ପଡୁଛି। ଗତ ୨ ଦିନ ହେଲା ବାରମ୍ବାର ୩୩ କେଭି ଓ ୧୧ କେଭି ବିଦ୍ୟୁତ୍ ସେବା ଅଚଳ ହୋଇପଡୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।
ପ୍ରକାଶ ଯେ, ଦାରିଙ୍ଗବାଡ଼ି ସବଷ୍ଟେଶନକୁ ଜିଲାର ଫିରିଙ୍ଗିଆ ଓ ଜି. ଉଦୟଗିରିରୁ କ. ନୂଆଗାଁ ହୋଇ ସଂଯୋଗ ରହିଛି। ସେହିପରି ଦାରିଙ୍ଗବାଡ଼ିରୁ ଦାସିଙ୍ଗବାଡ଼ି, ସିମନବାଡ଼ି, ପର୍ତ୍ତମାହା ଆଦି ୧୧ କେଭି ବିଦ୍ୟୁତ୍ ସଂଯୋଗ ଯାଇଛି ତେବେ ଫିରିଙ୍ଗିଆଠାରୁ କ.ନୂଆଗାଁ ଏବଂ ଜି. ଉଦୟଗିରିଠାରୁ କ. ନୂଆଗାଁ ୨ ଦିନହେଲା ବାରମ୍ବାର ଅଚଳ ହୋଇପଡ଼ିବାରୁ ଦାରିଙ୍ଗବାଡ଼ି ବ୍ଲକ ସମେତ କ. ନୂଆଗାଁ, ବାଲିଗୁଡ଼ା, ତୁମୁଡିବନ୍ଧ ଏବଂ କୋଟଗଡ଼ ବ୍ଲକ ଅନ୍ଧାର ହୋଇପଡ଼ିଛି। ତୁରନ୍ତ ଏହାର ସମାଧାନ ପାଇଁ ଦାବି ହେଉଛି।