ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଲେ ରେଳମନ୍ତ୍ରୀ

ବଲାଙ୍ଗୀର ଅଫିସ, ୨୩ା୮: କେନ୍ଦ୍ର ରେଳ, ସଞ୍ଚାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ ରବିବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲେ। ଟିଟିଲାଗଡରୁ କଣ୍ଟାବାଞ୍ଜି, ପାଟଣାଗଡ ଦେଇ ସେ ବଲାଙ୍ଗୀର ପହଞ୍ଚିଲେ। ସ୍ଥାନୀୟ ସର୍କିଟ ହାଉସଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଯୋଗଦେଇ ଜନ ଆଶୀର୍ବାଦ ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ। ଅଳ୍ପ ସମୟ ହେଲା ମନ୍ତ୍ରୀ ହୋଇଛି। ବିଶେଷ ଅଭିଜ୍ଞତା ହୋଇନାହିଁ। ଲୋକଙ୍କଠାରୁ ଅନେକ ଦାବି ପାଇଛି। ଦିଲ୍ଲୀ ଗଲା ପରେ ଏସବୁର ଅନୁସନ୍ଧାନ କରିବି ଓ ଶୀଘ୍ର ନିର୍ଣ୍ଣୟ ନେବି ବୋଲି କହିଥିଲେ। ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ଉପରେ କିଲୋମିଟର ପିଛା ସମୀକ୍ଷା କରିଛି। କିଛି ଜଙ୍ଗଲ ଜମି ବିଭାଗ ଅନୁମତି ସମସ୍ୟା ରହିଛି। ଜଙ୍ଗଲ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ବିଶେଷ ଅନୁରୋଧ କରିଛି ଯେ, ଜଙ୍ଗଲ ଜମି ଅନୁମତି ସମ୍ପର୍କରେ ଯାହାବି ସମସ୍ୟା ରହିଛି ସେ ସମ୍ପର୍କରେ କେନ୍ଦ୍ରକୁ ପ୍ରସ୍ତାବ ପଠାନ୍ତୁ। ଦିଲ୍ଲୀରେ ଉକ୍ତ ପ୍ରକଳ୍ପର ଅନୁମୋଦନ ଦାୟିତ୍ୱ ତାଙ୍କର ବୋଲି କହିଥିଲେ। ସମସ୍ତେ ମିଶିକି ପ୍ରୟାସ କଲେ ଏହି ସ୍ବପ୍ନିଳ ପ୍ରକଳ୍ପକୁ ଖୁବ୍‌ଶୀଘ୍ର ଗତିଶୀଳ ଓ ସମାପ୍ତ କରାଯାଇପାରିବ ବୋଲି କହିଥିଲେ।
ଗଣମାଧ୍ୟମ ପ୍ରତିନିଧିମାନେ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କେବେ ସରିବ ସ୍ପଷ୍ଟ କରନ୍ତୁ ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନ ଉପରେ ମନ୍ତ୍ରୀ ବୈଷ୍ଣବ କିନ୍ତୁ କିଛି ବି ସ୍ପଷ୍ଟ ଉତ୍ତର ରଖି ନ ଥିଲେ। ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ରାଜିନାମା ଅବଧି ସରିଯାଇଥିବା ଉପରେ ପ୍ରଶ୍ନ କରିବାରୁ ଏହି ପ୍ରକଳ୍ପ ଓଡିଶା ଏବଂ ଦେଶ ପାଇଁ ଏକ ମହତ୍ୱପୂର୍ଣ୍ଣ ପ୍ରକଳ୍ପ। ଏହାପାଇଁ ଯାହା କାମ ଦରକାର ପଡିବ କରିବା ବୋଲି କହିଥିଲେ। ଆସନ୍ତା ୬ ମାସ ଭିତରେ ଆସି ସେ ରିପୋର୍ଟ କାର୍ଡ ଦେବେ ବୋଲି କହିଥିଲେ।