ଏମ୍‌ପିଙ୍କ ଚାଳଘରେ ଖାଇଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ସଜନାଗଡ଼,୭।୧(ଡି.ଏନ.ଏ.): ବାଲେଶ୍ୱର ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର ଷ୍ଟେଶନରେ ମେମୁ ଟ୍ରେନ ଚଳାଚଳ ଶୁଭାରମ୍ଭ ଓ ନୀଳଗିରି ଗୋପୀନାଥପୁରରେ ଷ୍ଟେଶନ ଶିଳାନ୍ୟାସ କରିବା ପରେ ଅପରାହ୍ନରେ ଏମ୍‌ପି ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କ ଗାଁ ଗୋପୀନାଥପୁରରେ ପହଞ୍ଚିଥିଲେ। ସେଠାରେ ଗ୍ରାମବାସୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ। ଏହାପରେ ରେଳମନ୍ତ୍ରୀ ଅଶ୍ୱିନୀ ଏମ୍‌ପିଙ୍କ ଚାଳଘରେ କଦଳୀପତ୍ରରେ ଖାଦ୍ୟ ଭୋଜନ କରିଥିଲେ। ଭାତ, ଡାଲି, ଘାଣ୍ଟ, ମିକ୍ସ ତରକାରୀ, ଦହି ବାଇଗଣ, ବିଲାତି ଖଟା, ବୋଇତାଳୁ ଫୁଲ ବଡ଼ା, କାନିକା, ମଣ୍ଡା ପିଠା, ପୋଡ଼ ପିଠା, ଜହ୍ନି ଆଳୁ ପୋସ୍ତ, ଶାଗ, ଫୁଟ୍‌ଗୁଡ଼ି-ଆଳୁ ଭଜା, କଦଳୀ ଚୋପା ପତୁଆ, କଦଳୀ ଚିପ୍ସ, ଶିମ୍ବ ଭଜା, ବଡ଼ିଚୁରା, ଇଞ୍ଚଡ଼ ତରକାରୀ, ପନିର ତରକାରୀ ଆଦି ମନ୍ତ୍ରୀଙ୍କୁ ପରସା ଯାଇଥିଲା। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ତଳେ ବସି ବେଶ୍‌ ଆଗ୍ରହର ସହ ଖାଇବା ସହ ନଳକୂପରୁ ପାଣି ମଧ୍ୟ ପିଇଥିଲେ। ରେଳମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସ୍ଥାନୀୟ ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଓ ଅନ୍ୟ ଭାଜପା ନେତୃବୃନ୍ଦ ଭୋଜନରେ ସାମିଲ ଥିଲେ।