ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍ପିଏଫ୍) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ ରେଳ କର୍ମଚାରୀଙ୍କୁ ଆର୍ପିଏଫ୍ ଥାନା ହାଜତରେ ଅକଥନୀୟ ନିର୍ଯାତନା ଦିଆଯାଇଛି। ଆର୍ପିଏଫ୍ ପୋଲିସ ତାଙ୍କୁ ବାଡ଼େଇ ହାତ, ଗୋଡ଼ ଭାଙ୍ଗିଦେବା ସହ ଯୌନାଙ୍ଗ ଓ ଶରୀରର ବିଭିନ୍ନ ଅଙ୍ଗରେ ବିଦ୍ୟୁତ୍ ଶକ୍ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଇଷ୍ଟ କୋଷ୍ଟ ରେଲ୍ଓ୍ବେ ଭୁବନେଶ୍ୱରର କୋଚିଂ ଡିପୋ ଅଫିସର ସିଦ୍ଧାନ୍ତ ମିଶ୍ର ଖୋର୍ଦ୍ଧାରୋଡ୍ ଆର୍ପିଏଫ୍ର ସିନିୟର ଡିଭିଜନାଲ ସିକ୍ୟୁରିଟି କମିଶନରଙ୍କୁ ଚିଠି ଲେଖିଛନ୍ତି। ସିସିଟିଭି ଯାଞ୍ଚରୁ ସୌମ୍ୟରଞ୍ଜନ ଉକ୍ତ ଚୋରିରେ ସମ୍ପୃକ୍ତ ନ ଥିବା ଜଣାଇଛନ୍ତି। ଅନ୍ୟପକ୍ଷରେ ଇଷ୍ଟ କୋଷ୍ଟ ରେଲ୍ଓ୍ବେ କଣ୍ଟ୍ରାକ୍ଟ ଶ୍ରମିକ ୟୁନିୟନ ବ୍ରହ୍ମପୁର ଏସ୍ପି, ଖୋର୍ଦ୍ଧା ଡିଆର୍ଏମ୍, ପୂର୍ବତଟ ରେଳ ମୁଖ୍ୟାଳୟ ସମେତ ବିଭିନ୍ନ ବିଭାଗ ଓ କମିଶନରେଟ ପୋଲିସ ନିକଟରେ ଅଭିଯୋଗ କରିଛି। ଘଟଣାର ନିରପେକ୍ଷ ତଦନ୍ତ ସହ ନ୍ୟାୟ ନ ମିଳିଲେ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛି।
କୋଚିଂ ଡିପୋ ଅଫିସରଙ୍କ ଚିଠି ଓ ସଂଘର ଅଭିଯୋଗ ଅନୁସାରେ, ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ସୌମ୍ୟରଞ୍ଜନ ଟ୍ରେନରେ ବେଡ୍ରୋଲ୍ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରନ୍ତି। ଗତମାସ ୨୭ ତାରିଖରେ ସେ ୧୮୪୬୩ ନମ୍ବର ପ୍ରଶାନ୍ତି ଏକ୍ସପ୍ରେସ୍ରେ ବେଙ୍ଗାଲୁରୁ ଡ୍ୟୁଟିରେ ଯାଉଥିଲେ। ବ୍ରହ୍ମପୁର ଷ୍ଟେଶନ ନିକଟରେ ଏ-୧ କୋଚ୍ର ସିଟ୍ ନମ୍ବର ୨୫ରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀଙ୍କ ବ୍ୟାଗ୍ ଚୋରି ହୋଇଥିବା ଜଣାପଡ଼ିଥିଲା। ଘଟଣା ସମ୍ପର୍କରେ ସୌମ୍ୟ ଜାଣିବା ପରେ ଆର୍ପିଏଫ୍କୁ ସୂଚନା ଦେଇଥିଲେ। ହେଲେ ଆର୍ପିଏଫ୍ କର୍ମଚାରୀମାନେ ତାଙ୍କୁ ବିଶାଖାପାଟଣା ନେଇଯାଇ ପଚରାଉଚରା କରିବା ସହ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ପରେ ତାଙ୍କୁ ବ୍ରହ୍ମପୁର ଆର୍ପିଏଫ୍ ଥାନାକୁ ଅଣାଯାଇ ହାଜତରେ ରଖାଯାଇଥିଲା। ସେଠାରେ ସାଦା ପୋଷାକଧାରୀ ଏବଂ ଜନୈକ ପୋଷାକଧାରୀ ପୋଲିସ କର୍ମଚାରୀ ତାଙ୍କୁ ମାଡ଼ ମାରିବା ସହ ଚୋରି କରିଥିବା ସ୍ବୀକାର କରିବାକୁ ବାଧ୍ୟ କରିଥିଲେ। ସେ ମନା କରିବାରୁ ସେମାନେ ତାଙ୍କୁ ପ୍ରବଳ ମାଡ଼ ମାରିବା ସହ ବିଦ୍ୟୁତ୍ ସକ୍ ଦେଇଥିଲେ। ପରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କ ଡାହାଣ ହାତ ଓ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା। ଚିକିତ୍ସା ପରେ ସୌମ୍ୟଙ୍କୁ ଡିସ୍ଚାର୍ଜ କରାଯାଇଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସଂଘ ଅଭିଯୋଗ କରିଛି। ସୌମ୍ୟରଞ୍ଜନଙ୍କୁ ନିର୍ଯାତନା ଦେଇଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ପୀଡ଼ିତଙ୍କ ଚିକିତ୍ସା ଖର୍ଚ୍ଚ ସହ କ୍ଷତିପୂରଣ ଦେବାକୁ ସଂଘ ଦାବି କରିଛି। ଦାବି ପୂରଣ ନ ହେଲେ ସଂଘ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ସଂଘର ସାଧାରଣ ସମ୍ପାଦକ ନବକିଶୋର ମହାନ୍ତି ସୂଚନା ଦେଇଛନ୍ତି। ଅଭିଯୋଗ ନେଇ ଖୋର୍ଦ୍ଧା ଡିଆର୍ଏମ୍ ଓ ଆର୍ପିଏଫ୍ କମିଶନରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।