ରେଲୱେ ପରୀକ୍ଷାର୍ଥୀ ହନ୍ତସନ୍ତ

ଢେଙ୍କାନାଳ ଅଫିସ୍‌, ୧୬।୬ – ରେଲୱେ ପରୀକ୍ଷା ଦେବା ଲାଗି ଢେଙ୍କାନାଳ ଆସିଥିବା ପରୀକ୍ଷାର୍ଥୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ରହିବା ପାଇଁ ଘର କି ଖାଦ୍ୟ ମିଳୁନାହିଁ। ପରୀକ୍ଷା ପରିଚାଳନାରେ ଏଭଳି ତ୍ରୁଟିକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛି ଜିଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ। ଏ ନେଇ ପ୍ରତିଷ୍ଠାନର ସଭାପତି ରାଜେନ୍ଦ୍ର ଦାସ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଟୁଇଟ୍‌ କରି ଜଣାଇଛନ୍ତି।
ରେଳ ବିଭାଗର ୨ଟି ବର୍ଗ ପରୀକ୍ଷା ପାଇଁ ଢେଙ୍କାନାଳରେ ୨ଟି କେନ୍ଦ୍ର କରାଯାଇଛି। ପରୀକ୍ଷା ଦେବାକୁ ରାଜ୍ୟ ତଥା ରାଜ୍ୟ ବାହାରର ୩୦୦୦ରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ଆସିଛନ୍ତି। ତେବେ ଗଣପର୍ବ ରଜ ପାଇଁ ହୋଟେଲ କର୍ମଚାରୀ ସେମାନଙ୍କ ଗ୍ରାମକୁ ପଳାଇ ଯାଇଛନ୍ତି। ଅଧିକାଂଶ ହୋଟେଲ ବନ୍ଦ ରହିଛି। ପରୀକ୍ଷାର୍ଥୀମାନେ ଠିକ୍‌ଭାବେ ଖାଇବାକୁ ପାଉନାହାନ୍ତି। ରହିବା ପାଇଁ ମଧ୍ୟ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ସେମାନେ ଅତି ଦୟନୀୟ ଅବସ୍ଥାରେ ମଠମନ୍ଦିର, କ୍ଲବ୍‌ଘର ଏପରି କି ଗଛତଳେ ଆଶ୍ରୟ ନେଇଛନ୍ତି। ଭାଷାଗତ ସମସ୍ୟା ଯୋଗୁ ସହରବାସୀଙ୍କ ସହିତ ଭାବ ବିନିମୟ ମଧ୍ୟ କରିପାରୁନାହାନ୍ତି। ମୁଣ୍ଡଗୁଞ୍ଜିବା ପାଇଁ ବାରଦୁଆର ହେଉଥିଲେ ମଧ୍ୟ କେଉଁଠି ଜାଗା ମିଳୁନାହିଁ।
ଏତେସଂଖ୍ୟକ ପିଲାଙ୍କ ପାଇଁ ପରୀକ୍ଷା କେନ୍ଦ୍ର କରିବା ପୂର୍ବରୁ ସେମାନେ କେଉଁଠି ରହିବେ, କ’ଣ ଖାଇବେ ସେ କଥା ବିଭାଗକୁ ଚିନ୍ତା କରିବାର ଥିଲା।
ତେବେ ଏହା ନ କରି ପରୀକ୍ଷା କେନ୍ଦ୍ର କରାଯାଇଥିବାରୁ ଏଭଳି ବିଭ୍ରାଟ ଉପୁଜିଛି, ଯାହା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା ବୋଲି ପ୍ରତିଷ୍ଠାନର ସଭାପତି ରାଜେନ୍ଦ୍ର ଅଭିଯୋଗ କରିଛନ୍ତି। ସମସ୍ୟାର ସମାଧାନ ଲାଗି ରେଳମନ୍ତ୍ରୀଙ୍କୁ ଟୁଇଟ୍‌ ଯୋଗେ ଅବଗତ କରାଯାଇଛି। ଜିଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ ସୂଚନା ଦେଇଛନ୍ତି।