ନିଜ ହାତରେ ଆବର୍ଜନା ସଫା କଲେ ରାଇକିଆ ବିଡିଓ

ରାଇକିଆ,୨୬।୭(ଡି.ଏନ୍‌.ଏ.)- ମହାମାରୀ କରୋନା ପାଇଁ ସବୁଠି ଲକ୍‌ ଡାଉନ୍‌, ଶଟ୍‌ଡାଉନ ଚାଲିଛି। ଏଭଳି ସମୟରେ କନ୍ଧମାଳ ଜିଲା ରାଇକିଆ ବିଡିଓ ପ୍ରବୀଣ କୁମାର ବାଣୁଆ ନିଜ ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ଆଗେଇ ଆସିଛନ୍ତି। ରବିବାର ସକାଳୁ ହାତରେ କୋଦାଳ ଧରି ମୁହଁରେ ମାସ୍କ ପିନ୍ଧି କର୍ମଚାରୀ ସହ ମିଶି ଅଳିଆ ଆବର୍ଜନା ସଫା କରିଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଇକିଆ ସହର ସମେତ ବ୍ଲକର ୫ଟି ପଞ୍ଚାୟତ ର ୧୩ ଗୋଟି ଗ୍ରାମ କୁ ଅର୍ନିଦ୍ଦିଷ୍ଟ କାଳ ଯାଏ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏଭଳି ଏକ ସମୟରେ କେହି ଘରୁ ବାହାରୁ ନ ଥିବା ବେଳେ ଆଜି ସକାଳେ ରାଇକିଆ ବିଡିଓ ନିଜ କର୍ମଚାରୀଙ୍କୁ ନେଇ ରାଇକିଆ ସହରର ବିଭିନ୍ନ ସ୍ଥାନରେ ପଡ଼ିଥିବା କୁଢ଼କୁଢ଼ ଅଳିଆ ଆବର୍ଜନା ସଫା କରିଥିଲେ। ଏହାସହ ଡ୍ରେନ ଗୁଡ଼ିକୁ ମଧ୍ୟ ସଫା କରିଥିଲେ। ବିଡିଓ ଅଳିଆ ସଫା କରିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସମସ୍ତେ ତାଙ୍କର ଏଭଳି କାର୍ଯ୍ୟର ପ୍ରଶଂସା କରିଛନ୍ତି।