ପଥର ମାଫିଆଙ୍କ ଘରେ ଚଢ଼ାଉ

ନୀଳଗିରି, ୨୭।୭(ସ୍ବ.ପ୍ର.) – ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଚୋରା ପଥର ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ହେବାରେ ଲାଗିଛି। ସୋମବାର ବାଘମରା ଅଞ୍ଚଳକୁ ତଦନ୍ତ କରିବାକୁ ଯାଇଥିବା ସଜନାଗଡ଼ ଆର୍‌ଆଇ (ରାଜସ୍ବ ନିରୀକ୍ଷକ) ସନ୍ତୋଷ କୁମାର ବେହେରାଙ୍କୁ ପଥରମାଫିଆଙ୍କ ଆକ୍ରମଣ ଘଟଣାକୁ ତହସିଲଦାର ଅଶେଷ କୁମାର ନାୟକ ଗୁରୁତର ସହ ନେଇ ବାଲେଶ୍ୱର ଜିଲାପାଳ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ନୀଳଗିରି ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ ଓ ଏସ୍‌ଡିପିଓ ରିତେଶ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମଙ୍ଗଳବାର ନୀଳଗିରି ଉପଜିଲାପାଳ ସେଠୀ, ତହସିଲଦାର ନାୟକ ଓ ଆଇଆଇସି ଗୋପାଳଚନ୍ଦ୍ର କର୍ଣ୍ଣ ପୋଲିସଫୋର୍ସ ନେଇ ଚୋରା ଖାଦାନ ଓ ଆକ୍ରମଣକାରୀ ପୋଡ଼ାଶୁଳ ଅଞ୍ଚଳର ବାପ-ପୁଅଙ୍କ ଘରେ ଚଢ଼ାଉ କରିଥିଲେ। ବାପ-ପୁଅ ଉଭୟ ଫେରାର ଥିବାବେଳେ ଘରେ ଥିବା କମ୍ପ୍ରେସର ମେଶିନ, ଟ୍ରାକ୍ଟର, ଜିପ୍‌ ସହ ବହୁ ଯନ୍ତ୍ରାଂଶ ଜବତ କରାଯାଇଛି। ଏଭଳି ଚଢ଼ାଉ ପରେ ପଥର ମାଫିଆମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ପୋଲିସ ବାପ-ପୁଅଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ଜଣାପଡିଛି।
ଉଲ୍ଲେଖଯୋଗ୍ୟ, ନୀଳଗିରି ତହସିଲ ଅଧୀନ ବାଘମରା ଅଞ୍ଚଳରେ ବେଆଇନ ବ୍ଲାଷ୍ଟିଂ କରି ପଥର ଚୋରି ହେଉଥିବା ଅଭିଯୋଗ ହେବା ପରେ ତହସିଲଦାରଙ୍କ ନିର୍ଦ୍ଦେଶରେ ସଜନାଗଡ଼ ଆର୍‌ଆଇ (ରାଜସ୍ବ ନିରୀକ୍ଷକ) ସନ୍ତୋଷ କୁମାର ବେହେରା ତଦନ୍ତ କରିବାକୁ ଯାଇ ଫଟୋ ଉତ୍ତୋଳନ କରିଥିଲେ। ଫେରିବା ବେଳେ ତାଙ୍କୁ ପଥର ମାଫିଆ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ପ୍ରମାଣ ନଷ୍ଟ କରିବା ପାଇଁ ଆର୍‌ଆଇଙ୍କ ମୋବାଇଲ ଭାଙ୍ଗିବା ସହ ତାଙ୍କ ପର୍ସ ଓ ସେଥିରେ ଥିବା ୪୦୦୦ ଟଙ୍କା ମଧ୍ୟ ନେଇଯାଇଥିବା ନୀଳଗିରି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏନେଇ ନୀଳଗିରି ଥାନା ପକ୍ଷରୁ ମାମଲା (ନଂ. ୨୨୬ / ୨୨) ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।