ଜୁଆ ଆଡ୍ଡା ଉପରେ ଚଢ଼ାଉ, ୭ ଗିରଫ: ପୋଲିସକୁ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା

ରିଷିଡ଼ା, ୨୮।୧୦ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା  କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମ. ରାମପୁର ଥାନା ଅଞ୍ଚଳର ବଡ଼ ଡୁଙ୍ଗୁରିଗୁଡ଼ାରେ ଜୁଆଆଡ୍ଡା ଉପରେ ପୋଲିସ ଚଢ଼ାଉ କରି ୭ ଜଣଙ୍କୁ ଗିରଫ କରିଛି। ଚଢ଼ାଉ ସମୟରେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ, ପୋଲିସ ଗାଡ଼ି ଉପରକୁ ପଥର ମାଡ଼ ଏବଂ ସରକାରୀ କାର୍ଯ୍ୟରେ ବାଧା ଦେବା ଭଳି ଅଭିଯୋଗ ହୋଇଛି। ଏନେଇ ମ. ରାମପୁର ଥାନାରେ କେସ୍‌ ନଂ ୨୭୧/୨୦୨୬ରେ ମାମଲା ରୁଜୁ ହୋଇଛି।

ପୋଲିସ ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ, ଗତ ୨୭ ତାରିଖ ରାତି ପ୍ରାୟ ୧ଟା ୩୦ ମିନିଟ୍‌ରେ ବଡ଼ ଡୁଙ୍ଗୁରିଗୁଡ଼ା ଅଞ୍ଚଳରେ ଟଙ୍କା ଲଗାଇ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ରାତି ପ୍ରାୟ ୧ଟା ୪୫ ମିନିଟ୍‌ରେ ପୋଲିସ ଟିମ୍ ସେଠାରେ ପହଞ୍ଚି ଚଢ଼ାଉ କରିଥିଲା। ଏହି ସମୟରେ ଜୁଆ ଖେଳୁଥିବା ବ୍ୟକ୍ତିମାନେ ପୋଲିସକୁ ଗାଳିଗୁଲଜ କରିବା ସହ ଗାଡ଼ି ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ଏଥିସହ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଓ ହତ୍ୟା ଧମକ ଦେବା ନେଇ ଏତଲାରେ ଉଲ୍ଲେଖ ରହିଛି।

ଏପରିକି ଜଣେ ମହିଳା ହୋମ୍‌ଗାର୍ଡଙ୍କୁ ବେକରୁ ଧରି ତଳେ ଘୋଷାଡ଼ି ନେବା ସହ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରୁ ପୁଲିସ ୭ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ୨ ଜଣ ଫେରାର ହୋଇଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ଗିରଫ ବ୍ୟକ୍ତିମାନେ ହେଲେ ନୂନପୁର ଗ୍ରାମର ଘନଶ୍ୟାମ ରଣା (୬୩), ରିଷିଡ଼ା ଗ୍ରାମର ଦୟାନିଧି ଭୋଇ (୫୭), ବଡ଼ ଡୁଙ୍ଗୁରିଗୁଡ଼ାର ଶକ୍ତି ପୁଟେଲ (୨୭) ଓ ସୁବ୍ରତ ମିଶ୍ର (୨୯), ମଦନପୁର ଗ୍ରାମର ଦେବରାଜ ଦଣ୍ଡିଆ (୫୬) ଏବଂ ରିଷିଡ଼ାର ରାଧେଶ୍ୟାମ ରଣା (୩୫) ଓ କାମଦେବ ପଧାନ (୨୮)।

ପୋଲିସ ଘଟଣାସ୍ଥଳରୁ ଜୁଆ ଖେଳରେ ବ୍ୟବହୃତ ଏକ ବାଉଁଶ ଝୁଡ଼ି, ୬ଟି ଡାଇସ୍‌, ୧୩ ହଜାର ୨୦୦ ଟଙ୍କା, ଗୋଟିଏ ମୋଟରସାଇକେଲ ଏବଂ ୫ଟି ମୋବାଇଲ ଫୋନ୍‌ ଜବତ କରିଛି। ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ବିଭିନ୍ନ ଧାରା ସହ ଓଡ଼ିଶା ପ୍ରିଭେନ୍‌ସନ୍‌ ଅଫ୍‌ ଗ୍ୟାମ୍ବଲିଂ ଆକ୍ଟର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏଏସ୍‌ଆଇ ବିଜୟ କୁମାର ବେନିଆଙ୍କ ରିପୋର୍ଟ ଆଧାରରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Dharitri – Odisha’s No.1 Odia Daily

Share