କୁଆଁରମୁଣ୍ଡା,୨ା୮(ମହେନ୍ଦ୍ର କୁମାର ସାହୁ): ଏକଦା ସମଗ୍ର ସୁନ୍ଦରଗଡ଼ ଜିଲାରେ ସୁନାମ ଅର୍ଜନ କରିଥିବା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବୋଗା ଲ୍ୟାମ୍ପ୍ସରେ ଗତ ଦେଢ଼ ବର୍ଷ ହେଲା ଅଚଳାବସ୍ଥା ଦେଖାଦେଇଛି। ଏହି ଲ୍ୟାମ୍ପସରେ ଏବେ କେହି ପରିଚାଳନା ନିର୍ଦ୍ଦେଶକ ନ ଥିବାରୁ କର୍ମଚାରୀମାନେ ମନୋମୁଖୀ ଭାବେ କାର୍ଯ୍ୟ କରୁଛନ୍ତି। ଚାଷୀମାନେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପାଉ ନ ଥିଲେ ମଧ୍ୟ କେତେଜଣ ଅସାଧୁ ବ୍ୟକ୍ତିଙ୍କ ଭୟରେ ସେମାନେ ପାଟି କରିବାକୁ ସାହସ କରୁନାହାନ୍ତି। ପରିଚାଳନା ସମିତି ନିର୍ଦ୍ଦେଶକ ପଦ ଖାଲି ପଡ଼ିଥିବା ବେଳେ ସଂପୃକ୍ତ ଅସାଧୁ ବ୍ୟକ୍ତି ଯେଉଁମାନେ କି ଉପରିସ୍ଥ ଅଧିକାରୀଙ୍କୁ ନିଜ କବଜାରେ ରଖିଛନ୍ତି ସେମାନଙ୍କ ଭୟରେ କେହି ଉକ୍ତ ଦାୟିତ୍ୱ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି। ଜିଲା ପ୍ରଶାସନ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ପଦ ପାଇଁ ଦୟାଲ ଏକାଙ୍କୁ ଗତ ଦେଢ଼ ବର୍ଷ ମଧ୍ୟରେ ୫ ଥର ନିର୍ଦ୍ଦେଶ ଦିଆଗଲା ଗଲାଣି ହେଲେ ସେ କୌଣସି କାରଣ ଦର୍ଶାଇ ତାହାକୁ ପ୍ରତ୍ୟାଖାନ କରୁଛନ୍ତି।
ଅନ୍ୟପକ୍ଷରେ କର୍ମଚାରୀ ରାହୁଲ କୁମାର ସାହୁ ମଧ୍ୟ ଉକ୍ତ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଗ୍ରହଣ କରିବାକୁ ଅଗ୍ରାହ୍ୟ କରିଛନ୍ତି। ଉପରୋକ୍ତ ଅସୁବିଧା ଦୃଷ୍ଟିରୁ ଲ୍ୟାମ୍ପସରେ ଚାଷୀଙ୍କୁ ସାର,ବିହନ ମିଳୁ ନ ଥିବା ବେଳେ ଖରିଫ ଋଣ ଲଗାଣରେ ଗୁରୁତର ବ୍ୟାହତ ସୃଷ୍ଟି ହେଉଛି। ଏ ସବୁ ସତ୍ତ୍ୱେ କର୍ତ୍ତୃପକ୍ଷ କ’ଣ ପାଇଁ ଚୁପ ରହିଛନ୍ତି ତାହା ଜଣାପଡୁନାହିଁ। ଏ ଦିଗରେ ଡିଆରସିଏସ୍ କିମ୍ବା ଏଆରସିଏସ୍ ସ୍ବତନ୍ତ୍ର ଦୃଷ୍ଟି ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।