ଗରିବ ଦିନକୁ ଦିନ ଗରିବ ହୋଇଚାଲିଛି: ରାହୁଲ

ବ୍ରଜରାଜନଗର,୮ା୨(ବିଜୟ ବରାଡ଼)- ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ତୃତୀୟ ଦିବସରେ ଗୁରୁବାର ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଝାରସୁଗୁଡ଼ାରେ ରୋଡ୍‌ ଶୋ କରିଥିଲେ। ସକାଳ ୯ଟାରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଗାନ୍ଧୀ ଛକଠାରେ ନ୍ୟାୟ ଯାତ୍ରା ପହଞ୍ଚତ୍ବା ପରେ ନଗର କଂଗ୍ରେସ ସଭାପତି ପ୍ରଫୁଲ୍ଲ ପଣ୍ଡା ଓ ସମ୍ପାଦକ ସୁନୀଲ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସ୍ବାଗତ କରିଥିଲେ।
ପୂର୍ବାହ୍ନରେ ରାହୁଲ ବେଲପାହାଡ ମହିମା ପଡ଼ିଆରେ ଏକ ସାଧାରଣ ସଭାକୁ ସମ୍ବୋଧିତକରି କହିଥିଲେ, କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦି ସରକାର ପୁଞ୍ଜିପତିମାନଙ୍କୁ ପ୍ରୋତ୍ସାହନ ଦେଇଆସୁଛି। ୧୦ବର୍ଷ ଧରି କେବଳ ଧନୀ ଲୋକମାନେ ସୁବିଧା ପାଇଆସୁଛନ୍ତି। ଗରିବ ଦିନକୁ ଦିନ ଗରିବ ହୋଇଚାଲିଛି। ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର ଜାତି ଗଣନା କରୁନାହାନ୍ତି। ଆଗାମୀ ଦିନରେ କଂଗ୍ରେସ ସରକାରକୁ ଆସିଲେ ପ୍ରଥମେ ଜାତି ଗଣନା କରି ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବ।

ଓଡ଼ିଶାରେ ୨୫ବର୍ଷ ଧରି ବିଜୁ ଜନତା ଦଳର ସରକାର ଚାଲିଛି। ହେଲେ ଓଡ଼ିଶାରେ ନିଯୁକ୍ତି କାହିଁ ବୋଲି ରାହୁଲ ପ୍ରଶ୍ନ କରିଥିଲେ। ଲୋକଙ୍କୁ ସୁବିଧା ନାଁରେ ଅର୍ଥ ହରିଲୁଟ ଚାଲିଛି, ଯାହାକୁ କେନ୍ଦ୍ର ସରକାର ସମର୍ଥନ କରିଆସୁଛି। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଗତବର୍ଷ କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ କରାଯାଇଥିଲା। ଚଳିତବର୍ଷ ମଣିପୁରଠାରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଏହି ଯାତ୍ରା କରାଯାଉଛି।

ସଭା ପରେ ସେ ରୋଡ୍‌ ଶୋ’ରେ ଯାଇ କୁଡାଲୋଇଠାରେ ଚା ପିଇଥିଲେ। ସେଠାରୁ କନକତୋରା ଦେଇ ଛତିଶଗଡ଼ର ରାୟପୁର ଅଭିମୁଖେ ଯାତ୍ରା କରିଛନ୍ତି। ଶୋଭାଯାତ୍ରାରେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତାମାନେ ସାମିଲ ଥିଲେ।